ଭୁବନେଶ୍ୱର: ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଫଳତାକୁ ନେଇ ଉତ୍ସାହିତ ବିଜେପି ଶିବିର। ଏହି ବିଜୟ ପାଇଁ ABVPର କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନ ଫଳାଫଳ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ‘ନେସନ୍ ଫାଷ୍ଟ’ ବା ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ପ୍ରତି ସମର୍ଥନକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ଶାହ ଓଡ଼ିଶାରେ ABVPର ସଫଳତାକୁ ପ୍ରଶଂସା କରିଛନ୍ତି। ପଞ୍ଜାବ ୟୁନିଭର୍ସିଟି ଓ ଦିଲ୍ଲୀ ୟୁନିଭର୍ସିଟି ପରେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ABVPର ସଫଳତାକୁ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ, ଏହି ଫଳାଫଳ ଯୁବପିଢ଼ିଙ୍କ ରାଜନୈତିକ ମନୋଭାବର ଏକ ସ୍ପଷ୍ଟ ସଙ୍କେତ।
ସେହିପରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ABVPକୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଅନୁଯାୟୀ, ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ ABVP ବିଜୟ ହାସଲ କରିଛି ଏବଂ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ପଦବୀର ୭୦ ପ୍ରତିଶତ ଦଖଲ କରିଛି। କଂଗ୍ରେସ ସମର୍ଥିତ ରାଜନୈତିକ ପ୍ରଚାର ସତ୍ତ୍ୱେ ଯୁବପିଢ଼ି ABVPକୁ ସମର୍ଥନ ଦେଇଥିବା ସେ ଦାବି କରିଛନ୍ତି।
ABVP ଓଡ଼ିଶା ପକ୍ଷରୁ ମଧ୍ୟ ରାଜ୍ୟର ୧୦୦ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜୟୀ ହୋଇଥିବା ଦାବି କରାଯାଇଛି। ସଂଗଠନର ତଥ୍ୟ ଅନୁସାରେ, ୩୪୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନରେ ଏହା ୨୦୮ଟି ସଭାପତି, ୨୧୪ଟି ଉପସଭାପତି, ୨୨୧ଟି ସାଧାରଣ ସମ୍ପାଦକ ଏବଂ ୧୯୯ଟି ସହକାରୀ ସାଧାରଣ ସମ୍ପାଦକ ପଦ ହାସଲ କରିଛି।
ଏହି ସଫଳତାକୁ ଛାତ୍ରଛାତ୍ରୀଙ୍କ ସମର୍ଥନର ପ୍ରତିଫଳନ ବୋଲି ABVP କହିଛି। ତେବେ ଏହି ସଂଖ୍ୟାଗୁଡ଼ିକ ସଂଗଠନ ପକ୍ଷରୁ ପ୍ରକାଶିତ ତଥ୍ୟ ଉପରେ ଆଧାରିତ।