ଆଜି ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆରାଧନା ଚାଲିଛି। ସକାଳୁ ମନ୍ଦିରଗୁଡ଼ିକରେ ନୀତିକାନ୍ତି ଆରମ୍ଭ ହୋଇଥିବାବେଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ମନ୍ତ୍ରପାଠରେ ଶକ୍ତିପୀଠଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି।
ଧାର୍ମିକ ପରମ୍ପରା ଅନୁଯାୟୀ, ଦୁର୍ଗାପୂଜାର ସପ୍ତମୀ ତିଥିରେ ମା’ଙ୍କୁ ବିଶେଷ ପୂଜା କରାଯାଏ। ପୂଜକମାନେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ନିକଟରେ ଭୋଗ ଲାଗି କରୁଛନ୍ତି। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପରିଚାଳନା କମିଟି ଓ ଆୟୋଜକଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ମାଆ ଦୁର୍ଗତିନାଶିନୀଙ୍କ ଧରାବତରଣକୁ ନେଇ ଚଳଚଞ୍ଚଳ ହୋଇପଡିଛି ସହରଠୁ ପୁରପଲ୍ଲୀ। ସୁଦୃଶ୍ୟ ତୋରଣ, ଚିକମିକ୍ ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ। ମା’ଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ସିଲଭର ସିଟି କଟକରେ ମଧ୍ୟ ପାର୍ବଣର ମହାପର୍ବ ପାଇଁ ସହର ପୁରା ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକମାଳାରେ ଝଲସୁଛି ୫୨ ବଜାର ୫୩ ଗଳିର ଏହି ପୁରାତନ ସହର।
କଟକରେ ଚଳିତବର୍ଷ ୧୭୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ମା ଦୁର୍ଗା ଓ ହର ପାର୍ବତୀଙ୍କୁ ପୂଜା କରାଯାଉଛି। ଏହା ମଧ୍ୟରୁ ୩୮ ଟି ଚାନ୍ଦିମେଢ଼ର ପୂଜା ମଣ୍ଡପ ରହିଛି। ରୂପାର ସହରରେ ସୁନା ରୂପାର ଓଜଲ୍ୟା ଭିତରେ ଦୁର୍ଗତିନାଶିନୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
ଆଜି ମହାସପ୍ତମୀରେ ଚଳଚଞ୍ଚଳ ହୋଇଛି କଟକ ସହରର ସମସ୍ତ ପୂଜା ମଣ୍ଡପ। ଦୁର୍ଗାପୂଜା ସମୟରେ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ସହ ସମ୍ପାଦନା କରିବା ପାଇଁ କଟକସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ କମିଶନରେଟ ପୋଲିସ ପକ୍ଷରୁ ମୃତୟନ କରାଯାଇଛି।