କଟକ: ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଯିବା ସମୟରେ ନିଜର ଜାତିଗତ ପରିଚୟ ଏବଂ ବିଶେଷ ସୁବିଧା-ସୁଯୋଗକୁ ନିଜ ସହିତ ନେଇପାରିବେ ନାହିଁ। କୌଣସି ନିର୍ଦ୍ଦିଷ୍ଟ ଜାତି କିମ୍ବା ଜନଜାତିର ସାମାଜିକ-ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ରାଜ୍ୟ ପାଇଁ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ତାଲିକାର ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ପ୍ରସ୍ତୁତ କରାଯାଇଥାଏ।
ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟରେ ଅନୁସୂଚିତ ଜାତି ଭାବେ ପଞ୍ଜୀକୃତ ହୋଇଥିବା ବେଳେ, ସେହି ଜାତି ଓଡ଼ିଶାରେ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ଥିଲେ ସୁଦ୍ଧା ସେ ଏଠାରେ ସ୍ୱୟଂକ୍ରିୟ ଭାବେ ଜନଜାତିର ମାନ୍ୟତା କିମ୍ବା ସୁବିଧା ପାଇପାରିବେ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ବିନୟ କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ:
ହାଇକୋର୍ଟ ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷକୁ ଗ୍ରହଣ କରି ମୟୂରଭଞ୍ଜ ଜିଲ୍ଲା ନିବନ୍ଧକ ତଥା ADMଙ୍କ ୨୦୨୬ ଏପ୍ରିଲ୍ ୨୩ର ଚିଠିକୁ ଖାରଜ କରିଦେଇଛନ୍ତି। ଏଥିସହିତ ୩ ଦିନ ମଧ୍ୟରେ ଆବେଦନକାରୀଙ୍କ ଜମି ବିକ୍ରି କବଲା ପଞ୍ଜୀକରଣ କରିବାକୁ କୁଳିଅଣା ସବ୍-ରେଜିଷ୍ଟ୍ରାର ତଥା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଦାଲତ ଦର୍ଶାଇଛନ୍ତି ଯେ, ଯେହେତୁ ଆବେଦନକାରୀ ଓଡ଼ିଶା ପାଇଁ ଅନୁସୂଚିତ ଜନଜାତି (ST) କିମ୍ବା ଅନୁସୂଚିତ ଜାତି (SC) ଭାବେ ଗଣ୍ୟ ହେବେ ନାହିଁ, ତେଣୁ ତାଙ୍କ କ୍ଷେତ୍ରରେ ଓଡ଼ିଶା ଭୂସଂସ୍କାର ଆଇନ (OLR Act)ର ଧାରା ୨୨ ଲାଗୁ ହେବ ନାହିଁ। ଆବେଦନକାରୀ ଓଡ଼ିଶାରେ ଜନଜାତି ବର୍ଗର ନୁହଁନ୍ତି, ତେଣୁ ଜମି ବିକ୍ରି ପାଇଁ ସରକାରୀ ଅନୁମତି ଆଣିବାକୁ ତାଙ୍କୁ କୁହାଯିବା ଆଇନଗୁଡ଼ିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ।
ମାମଲାର ପୃଷ୍ଠଭୂମି (କାହିଁକି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ?):
ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ବିନୟ କୁମାର ଦାସ ଝାଡ଼ଖଣ୍ଡ ରାଜ୍ୟର ମୂଳ ବାସିନ୍ଦା। ସେଠାରେ ତାଙ୍କର 'ଭୂଇୟା' ଜାତିକୁ ଅନୁସୂଚିତ ଜାତି (SC) ଭାବେ ସ୍ୱୀକୃତି ମିଳିଥିଲା। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ତହସିଲ ଅଞ୍ଚଳରେ ତାଙ୍କର ଜମି ରହିଥିବା ବେଳେ, ଏହାକୁ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବିକ୍ରି କରିବା ପାଇଁ ସେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦଲିଲ ଦାଖଲ କରିଥିଲେ।
କିନ୍ତୁ କୁଳିଅଣା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ଏହାକୁ ଗ୍ରହଣ କରିନଥିଲେ। ପରେ ଜିଲ୍ଲା ପଞ୍ଜୀକରଣ କର୍ତ୍ତୃପକ୍ଷ (ADM) ଏପ୍ରିଲ୍ ୨୩ର ଏକ ଚିଠି ମାଧ୍ୟମରେ ଜଣାଇଥିଲେ ଯେ, ଓଡ଼ିଶାରେ 'ଭୂଇୟା' ଜାତିଟି ଅନୁସୂଚିତ ଜନଜାତି (ST) ଭାବେ ତାଲିକାଭୁକ୍ତ; ତେଣୁ ନିୟମ ଅନୁସାରେ ଆବଶ୍ୟକ ଅନୁମତି ଆଣିବା ପରେ ହିଁ ଜମି ବିକ୍ରି ପଞ୍ଜୀକରଣ ହୋଇପାରିବ। ଏହି ଚିଠି ଓ ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।