ଭୁବନେଶ୍ୱର: ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି, ଯାହା ଗତ ୮ ବର୍ଷ ଧରି ହୋଇପାରୁନଥିଲା । ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାରେ ଆପଣଙ୍କ ଓ ଆପଣଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ଆଜି ବି ଓଡ଼ିଶାର ଛାତ୍ର ଓ ଯୁବସମାଜ ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତ୍ତି ପରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ମନ୍ତ୍ରୀ କହିଛନ୍ତି ଯେ, ଆଜି ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରୁ ମନେହେଉଛି, ଆପଣ ଆପଣଙ୍କ ଦଳକୁ ବଞ୍ଚାଇବାକୁ ତଥା ଦଳ ଭିତରେ ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଏପରି ଅସତ୍ୟ କହିଛନ୍ତି । ଆପଣଙ୍କ ପାଖରେ ଥିବା ଲୋକମାନେ ଆପଣଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର-ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ କରାଇବା ଆପଣଙ୍କ ଛବିକୁ ଆହୁରି ମଳିନ କରୁଛି !
ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ସକରାତ୍ମକ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି । କେଉଁ ଦଳ କେଉଁ ସଂଗଠନର ସମର୍ଥନରେ କେତେ ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି ।
ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆପଣଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭାପାଉନାହିଁ । ଏହି ସମୟରେ ଆପଣ ଛାତ୍ରସମାଜକୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ ତାହା ଅଧିକ ଭଲ ହୋଇଥା'ନ୍ତା। ଓଡିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଓ ଭ୍ରାନ୍ତିଠାରୁ ଦୂରରେ ରଖି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଆମର ଧ୍ୟେୟ ହେଉ ।
Also Read: ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ