ପୁରୀ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସେ ନିଜ ପରିବାର ସହ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ସେଠାରେ ତାଙ୍କୁ 'ଗାର୍ଡ ଅଫ୍ ଅନର' ପ୍ରଦାନ କରାଯାଇଥିଲା ।
ଆସନ୍ତାକାଲି ରବିବାର ପୂର୍ବାହ୍ନ ୧୧ଟାରେ ଲୋକଭବନର ଅଭିଷେକ ହଲ୍ରେ ଓଡ଼ିଶାର ରାଜ୍ୟପାଳ ଭାବେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ । ସେ ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନ ଗ୍ରହଣ କରିବେ ।