ପୁରୀ: ପୁରୀ ଜିଲ୍ଲାର ବଳିଆପଣ୍ଡା ଥାନା ପରିସର ଭିତରେ ଘଟିଯାଇଛି ଏକ ବଡ଼ଧରଣର ଦୁର୍ଘଟଣା। ଥାନା ଭିତରେ କେବୁଲ୍ ସଂଯୋଗ କାମ କରୁଥିବା ଅବସ୍ଥାରେ ବିଦ୍ୟୁତ୍ ଆଘାତ ଲାଗି ଦୁଇଜଣ ଯୁବକଙ୍କର କରୁଣ ମୃତ୍ୟୁ ହୋଇଛି। ଏହି ଅଘଟଣ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟ (ହସ୍ପିଟାଲ) ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।
ପ୍ରାପ୍ତ ସୂଚନା ମୁତାବକ, ମୃତ ଯୁବକଦ୍ୱୟ ହେଲେ ରାମମନ୍ଦିର ଜାଲି ସାହିର ସୁବ୍ରତ ସାହୁ ଏବଂ ବଳିଆପଣ୍ଡା ମହାରଣା ସାହିର ବାପି ପ୍ରଧାନ। ଉଭୟ ଯୁବକ ବଳିଆପଣ୍ଡା ଥାନା ପରିସରରେ କେବୁଲ୍ କାମ କରୁଥିବା ସମୟରେ ହଠାତ୍ ଅସାବଧାନତା ବଶତଃ କରେଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ।
ବିଦ୍ୟୁତ୍ ଆଘାତର ଶିକାର ହେବା ପରେ ପୋଲିସ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ପରିବାର ଓ ସ୍ଥାନୀୟ ଲୋକଙ୍କ ଆକ୍ରୋଶ
ହସ୍ପିଟାଲରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିବା ପରେ ପରିବାରବର୍ଗ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତଦେହଗୁଡ଼ିକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ପରିବାର ଲୋକେ ପୋଲିସ ପ୍ରଶାସନ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି। ଏତେ ବଡ଼ ଦୁର୍ଘଟଣା ଘଟିବା ସତ୍ତ୍ୱେ ପୋଲିସ କାହିଁକି ସୂଚନା ଦେଲା ନାହିଁ ବୋଲି ପରିବାରବର୍ଗ ପ୍ରଶ୍ନ କରିଛନ୍ତି।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ହସ୍ପିଟାଲ୍ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ପୁରୀ ଏସ୍.ପି. ପ୍ରତୀକ ସିଂଙ୍କ ସମେତ ଥାନା ଅଧିକାରୀ ଏବଂ ବହୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ପୋଲିସ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।