ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚାଞ୍ଚଲ୍ୟ । ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ସହରର ଶିଶୁ ଉଦ୍ୟାନ ନିକଟରେ ଏହି ଘଟଣା ଘଟିଛି। ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ଘଟଣା ସମ୍ପର୍କରେ କିଛି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା। ଏଥିସହ ବନ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା।
ମୃତକଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଳି ବନ ବିଭାଗ କହୁଛି । ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ଘଟଣାସ୍ଥଳ ପାଖରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କଣ୍ଟାବାଞ୍ଜି ଫରେଷ୍ଟର କହିଛନ୍ତି।
ଗତ ପ୍ରାୟ ଏକ ସପ୍ତାହ ଧରି କଣ୍ଟାବାଞ୍ଜି ସହରର ବିଭିନ୍ନ ଜନବସତି ଅଞ୍ଚଳରେ ଜଙ୍ଗଲୀ ଭାଲୁ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଭାଲୁକୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଆହୁରି ବଢ଼ିଛି। ଜନବସତି ଅଞ୍ଚଳରୁ ଜଙ୍ଗଲୀ ଭାଲୁକୁ ଘଉଡ଼ାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।