ସ୍କୁଲ୍ରୁ କଲେଜରେ ପାଦ ଦେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଥାଏ। କେହି ଉଚ୍ଚଶିକ୍ଷା ହାସଲ କରିବାକୁ ଚାହାନ୍ତି ତ ଆଉ କେହି ଭଲ ଚାକିରି କରି ନିଜ ପରିବାରର ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ରଖନ୍ତି। କିନ୍ତୁ ଆଜିର ପ୍ରତିଯୋଗିତାପୂର୍ଣ୍ଣ ଯୁଗରେ କେବଳ ଡିଗ୍ରୀ ହାସଲ କରିବା ଦ୍ୱାରା କ୍ୟାରିୟରରେ ସଫଳତା ମିଳିବା ସହଜ ନୁହେଁ। ଏଥିପାଇଁ କଲେଜ ଜୀବନରୁ ହିଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
୧. ନିଜ ଦକ୍ଷତା ବଢ଼ାଇବାରେ ଅବହେଳା କରନ୍ତୁ ନାହିଁ
ପାଠପଢ଼ା ସହ ନିଜ କ୍ଷେତ୍ର ସମ୍ବନ୍ଧୀୟ ଦକ୍ଷତା ହାସଲ କରିବା ଜରୁରୀ। କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ୍ ସ୍କିଲ୍, ଡାଟା ଆନାଲିସିସ୍ କିମ୍ବା ଅନ୍ୟାନ୍ୟ ବୃତ୍ତିଗତ ଦକ୍ଷତା ଭବିଷ୍ୟତରେ କାମରେ ଆସିପାରେ। ତେଣୁ କେବଳ ପରୀକ୍ଷାରେ ଭଲ ମାର୍କ ରଖିବା ନୁହେଁ, କାମ କରିବାର କ୍ଷମତା ବଢ଼ାଇବା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।
୨. ଲକ୍ଷ୍ୟ ନିର୍ଦ୍ଧାରଣ ନକରି ସମୟ ବିତାନ୍ତୁ ନାହିଁ
କଲେଜ ଜୀବନରେ ଅନେକେ ନିଜ କ୍ୟାରିୟରକୁ ନେଇ ସ୍ପଷ୍ଟ ଯୋଜନା କରନ୍ତି ନାହିଁ। ପାଠପଢ଼ା ଶେଷ ହେବା ପରେ କେଉଁ କ୍ଷେତ୍ରରେ ଚାକିରି କରିବେ, କେଉଁ ପରୀକ୍ଷା ଦେବେ କିମ୍ବା କେଉଁ ଦକ୍ଷତା ଶିଖିବେ, ସେନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ତେଣୁ ନିଜ ରୁଚି ଓ ଯୋଗ୍ୟତା ଅନୁସାରେ ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ସେହି ଅନୁଯାୟୀ ପ୍ରସ୍ତୁତି ଆରମ୍ଭ କରନ୍ତୁ।
୩. ଇଣ୍ଟର୍ଣ୍ଣସିପ୍ରୁ ଦୂରେଇ ରୁହନ୍ତୁ ନାହିଁ
କଲେଜରେ ପଢ଼ୁଥିବା ସମୟରୁ ଇଣ୍ଟର୍ଣ୍ଣସିପ୍ କରିବା ଦ୍ୱାରା କାର୍ଯ୍ୟକ୍ଷେତ୍ରର ବାସ୍ତବ ଅଭିଜ୍ଞତା ମିଳିଥାଏ। ଏହା ସହ ନିଜ ରେଜ୍ୟୁମେକୁ ମଜଭୁତ କରିବାରେ ମଧ୍ୟ ସହାୟକ ହୁଏ। ତେଣୁ ଛୁଟି ସମୟ କିମ୍ବା ପାଠପଢ଼ା ସହ ସମନ୍ୱୟ ରଖି ଇଣ୍ଟର୍ଣ୍ଣସିପ୍ ଓ ପ୍ରାକ୍ଟିକାଲ୍ ପ୍ରୋଜେକ୍ଟରେ ଭାଗ ନିଅନ୍ତୁ।
୪. କେବଳ ସାର୍ଟିଫିକେଟ୍ ପଛରେ ଦୌଡ଼ନ୍ତୁ ନାହିଁ
ଅନେକ ସାର୍ଟିଫିକେଟ୍ ହାସଲ କରିବା ପାଇଁ ବିଭିନ୍ନ କୋର୍ସ କରିଥାନ୍ତି, ଭାବିଥାନ୍ତି ଡିଗ୍ରୀ ମିଳିଗଲେ ଭଲ ଚାକିରି ମିଳିଯିବ। କିନ୍ତୁ ଆଜିର ଚାକିରି ବଜାରରେ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ପାଠପଢ଼ା ସହ କୋଡିଂ, ଡିଜିଟାଲ୍ ସ୍କିଲ୍ ଓ ପ୍ରାକ୍ଟିକାଲ୍ ଟ୍ରେନିଂ ଉପରେ ଧ୍ୟାନ ଦିଅନ୍ତୁ।
୫. କମ୍ୟୁନିକେସନ୍ ସ୍କିଲ୍କୁ ଗୁରୁତ୍ୱ ନଦେବା
ଭଲ ଚାକିରି ପାଇଁ କେବଳ ବିଷୟଭିତ୍ତିକ ଜ୍ଞାନ ଯଥେଷ୍ଟ ନୁହେଁ। ନିଜ କଥାକୁ ସ୍ପଷ୍ଟ ଭାବେ କହିବା, ଟିମ୍ରେ କାମ କରିବା, ଆତ୍ମବିଶ୍ୱାସର ସହ ଇଣ୍ଟରଭ୍ୟୁ ଦେବା ଏବଂ ସମସ୍ୟାର ସମାଧାନ କରିବାର ଦକ୍ଷତା ମଧ୍ୟ ଜରୁରୀ। ତେଣୁ କଲେଜ ସମୟରୁ କମ୍ୟୁନିକେସନ୍ ସ୍କିଲ୍ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦିଅନ୍ତୁ।