ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।
ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ସମୀକ୍ଷା ପାଇଁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବା ନେଇ ସୂଚନା ଦିଆଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ, ପ୍ରଶାସନିକ ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ସୁପରିଚାଳନା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସରକାରୀ କାର୍ଯ୍ୟ ରହିଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିପାରନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଧ୍ୟରେ ଅଳ୍ପ କିଛି ଦିନର ବ୍ୟବଧାନ ଥିବାରୁ ପ୍ରଶାସନ ପକ୍ଷରୁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଥର ଓଡ଼ିଶା ଗସ୍ତ କରିଛନ୍ତି। ଯଦି ଅକ୍ଟୋବର ୨୫ରେ ତାଙ୍କର ଗସ୍ତ ହୁଏ, ତେବେ ଏହା ଓଡ଼ିଶାକୁ ତାଙ୍କର ନବମ ଗସ୍ତ ହେବ।