ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଡଭାନୀଙ୍କ ଆଶୁ ଆରୋଗ୍ୟ କାମନା କରି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସିଂହଦେଓ ଆଡଭାନୀଙ୍କୁ ଜଣେ ସମ୍ମାନନୀୟ ରାଷ୍ଟ୍ରନେତା ଭାବେ ଅଭିହିତ କରିଛନ୍ତି। ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜାଣି ସେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡଭାନୀଙ୍କୁ ଶକ୍ତି, ସାହସ ଓ ଶୀଘ୍ର ସୁସ୍ଥତା ପ୍ରଦାନ କରନ୍ତୁ, ଯାହାଦ୍ୱାରା ସେ ନିଜ ଜ୍ଞାନ ଓ ମାର୍ଗଦର୍ଶନ ଦ୍ୱାରା ଦେଶକୁ ପ୍ରେରଣା ଦେଇଚାଲିବେ ବୋଲି ସେ ଲେଖିଛନ୍ତି।
ସୂଚନାଯୋଗ୍ୟ, ୯୮ ବର୍ଷୀୟ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ପଲମୋନାରୀ ବିଭାଗରେ ରଖାଯାଇଛି। ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଓ ନିୟମିତ ନିରୀକ୍ଷଣ କରୁଛନ୍ତି।
୧୯୨୭ ନଭେମ୍ବର ୮ରେ କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ବିଜେପିର ଅନ୍ୟତମ ପ୍ରମୁଖ ନେତା। ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଥିଲେ। ଦଳର ସାଂଗଠନିକ ବିସ୍ତାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ୨୦୨୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।