ନୂଆଦିଲ୍ଲୀ: "ଯଦି ଆସନ୍ତା ଶୁଣାଣି ପୂର୍ବରୁ କାମ ପୂରା ନହୁଏ, ତେବେ ଆମେ ଦୁଇ ଜଣ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ଗେଟ୍ ଆଗରେ ଧାରଣାରେ ବସିବୁ। ଦିଲ୍ଲୀ ମଥୁରା ରୋଡ୍ରେ ପଦଚାରୀଙ୍କ ସୁରକ୍ଷା ଓ ଟ୍ରାଫିକ୍ କ୍ରସିଂ ସମସ୍ୟାର ସମାଧାନ ନହେବା ନେଇ କ୍ଷୋଭ ପ୍ରକାଶ କରି ଶୁକ୍ରବାର ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଏଭଳି କଡ଼ା ତଥା ରୋଚକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟ ଜଙ୍କସନ ଏବଂ ନ୍ୟାସନାଲ ଜୁଲୋଜିକାଲ ପାର୍କ ନିକଟରେ ଥିବା ବିପଜ୍ଜନକ ପଦଚାରୀ କ୍ରସିଂକୁ ସୁଧାରିବାରେ ପ୍ରଶାସନିକ ବିଳମ୍ବକୁ ନେଇ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କ’ଣ କହିଲେ ବିଚାରପତି ?
ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ASG) ବିକ୍ରମଜିତ୍ ବାନାର୍ଜୀଙ୍କୁ ଚେତାବନୀ ଦେଇ ଜଷ୍ଟିସ୍ ପାର୍ଦିୱାଲା କହିଥିଲେ, "ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଓକିଲ, ଆବେଦନକାରୀ ଏବଂ ଛୋଟ ଛୋଟ ପିଲା ଯାତାୟାତ କରୁଛନ୍ତି। ଯଦି ନଭେମ୍ବର ୨୫ ତାରିଖ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହାର ସ୍ଥାୟୀ ସମାଧାନ ନହୁଏ, ତେବେ ଆମେ ଦୁଇ ବିଚାରପତି ଦିଲ୍ଲୀ ହାଇକୋର୍ଟ ଗେଟ୍ ସାମ୍ନାରେ ଧାରଣାରେ ବସିବୁ ଏବଂ କାମ ନସରିବା ଯାଏଁ ଘରକୁ ଯିବୁ ନାହିଁ।
ଖଣ୍ଡପୀଠ ଆହୁରି କହିଥିଲେ ଯେ, କେବଳ କମିଟି ଗଠନ କରି କାଗଜପତ୍ରରେ ବିଳମ୍ବ କରିବା ଆରମ୍ଭ କରନ୍ତୁ ନାହିଁ। ଆମକୁ କୌଣସି ପ୍ରଶାସନିକ ବାହାନା ଚଳିବ ନାହିଁ, କେବଳ ନିସର୍ତ୍ତ ନିଶ୍ଚିତ କାମ ଦରକାର।
କ୍ରମାଗତ ବିଳମ୍ବ ନେଇ ଅସନ୍ତୋଷ
ସୂଚନାଯୋଗ୍ୟ ଯେ, ମଥୁରା ରୋଡ୍ର ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରେଡ୍ଲାଇଟ୍, ଫୁଟ୍ ଓଭରବ୍ରିଜ୍ କିମ୍ବା ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାର ଅଭାବ ନେଇ ଅକ୍ଟୋବର ୨୦୨୫ ଏବଂ ସେପ୍ଟେମ୍ବର ୨୦୨୬ରେ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଆଦେଶ ପରେ ଏକ ସିଗନାଲ୍ ଲଗାଯାଇଥିଲେ ବି ତାହା ପ୍ରାୟତଃ ଖରାପ ରହୁଥିବା ଅଦାଲତଙ୍କ ଦୃଷ୍ଟିଗୋଚର ହୋଇଥିଲା।