ଜଗତସିଂହପୁର: ଶାରଦୀୟ ନବରାତ୍ର ପୂଜାର ଆଜି ଅଷ୍ଟମ ଦିବସ ବା ମହାଷ୍ଟମୀ। ଆଉ ଆଜି ଦିନରେ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠ। ମା ଶାରଳା ଆଜି ମହାଗୌରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ହେଉଛି ମା'ଙ୍କର ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଏବଂ ମନୋହର ରୂପ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି।
ନବରାତ୍ର ପୂଜାର ନଅ ଦିନ ମଧ୍ୟରୁ ମହାଷ୍ଟମୀ ହେଉଛି ସବୁଠାରୁ ପବିତ୍ର ଏବଂ ପ୍ରମୁଖ ଦିବସ। ଏହି ଦିନ ମା'ଙ୍କ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଆଜି ଭୋର ସମୟରୁ ହଜାର ଶ୍ରଦ୍ଧାଳୁ ମା'ଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ମା'ଙ୍କୁ ତାଙ୍କର ପ୍ରିୟ ଚୁଡାଘସା ଭୋଗ ଅର୍ପଣ କରି ଭକ୍ତମାନେ ନିଜ ପରିବାରର ସୁଖ ଶାନ୍ତି ଏବଂ ସମୃଦ୍ଧି ପାଇଁ ଆଶିଷ କାମନା କରୁଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।