ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁଁ ୨୦୨୬ ସିଜିନ୍କୁ ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଇଥିବା ଭାରତର ଷ୍ଟାର୍ ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଏବେ ବଡ଼ କମ୍ବ୍ୟାକ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୨୦୨୭ ସିଜିନ୍ରେ ମଇଦାନକୁ ଫେରିବା ସହ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ସେ ପୂର୍ବପେକ୍ଷା ବହୁତ ଭଲ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।
ମୁମ୍ବାଇରେ ଆୟୋଜିତ ୨୦୨୬ ଅଡି Q୩ (Audi Q3)ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ନୀରଜ ନିଜ ସ୍ୱାସ୍ଥ୍ୟାବସ୍ଥା ଓ ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଅଲିମ୍ପିକ୍ସ ପ୍ରସ୍ତୁତି ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, "ଅଲିମ୍ପିକ୍ସ ପାଇଁ ଏବେ ବି ସମୟ ଅଛି। ଗୋଡ଼ ଗୋଠିଆରେ ଲାଗିଥିବା ଆଘାତ ସମସ୍ୟା ଏବେ ଅନେକାଂଶରେ ସୁଧୁରିଗଲାଣି। ଏବେ ମୋର ପୂରା ଫୋକସ୍ ଆସନ୍ତା ବର୍ଷ ଦମଦାର ପ୍ରତ୍ୟାବର୍ତ୍ତନ କରିବା ଏବଂ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବା ଉପରେ ରହିଛି।"
ଏଥିସହିତ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଜାଭେଲିନ୍ ଫିଙ୍ଗାଳିଙ୍କ ପ୍ରଦର୍ଶନକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, "ମୁଁ ଏବଂ କିଶୋର ଜେନା ଦଳରେ ନଥାଇ ବି ଆମର ଯୁବ ଆଥଲେଟ୍ମାନେ ଏସିଆଡ୍ରେ ୨ଟି ପଦକ ଜିତିଛନ୍ତି। ଏହା ପ୍ରମାଣିତ କରୁଛି ଯେ ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ।" ନୂଆ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜକୁ ଆଘାତରୁ ଦୂରେଇ ରଖି ଖେଳର ଭରପୂର ଆନନ୍ଦ ନେବାକୁ ନୀରଜ ପରାମର୍ଶ ଦେଇଛନ୍ତି।