ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ଟିମ୍ର ମୁଖ୍ୟ କୋଚ୍ ପଦରୁ ହଠାତ୍ ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟର ମାହେଲା ଜୟବର୍ଦ୍ଧନେ। ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି ପକ୍ଷରୁ ଏକ ସରକାରୀ ବିବୃତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି।
ଜୟବର୍ଦ୍ଧନେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଏମ୍ଆଇର ମୁଖ୍ୟ କୋଚ୍ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଏହାପରେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ସେ ଫ୍ରାଞ୍ଚାଇଜିର 'ଗ୍ଲୋବାଲ୍ ହେଡ୍ ଅଫ୍ ପରଫୋର୍ମାନ୍ସ' ଦାୟିତ୍ୱ ତୁଲାଇଥିଲେ। ମାର୍କ ବାଉଚରଙ୍କ ସ୍ଥାନରେ ୨୦୨୫ରେ ସେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଭାବେ ଦଳକୁ ଫେରିଥିଲେ।
ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ୨୦୨୫ ସିଜିନ୍ରେ ମୁମ୍ବାଇ ଟିମ୍ କ୍ୱାଲିଫାୟର୍-୨ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲା। କିନ୍ତୁ ଆଇପିଏଲ୍ ୨୦୨୬ରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା ଏବଂ ପଏଣ୍ଟ ଟେବୁଲ୍ର ତଳୁ ଦ୍ୱିତୀୟ ସ୍ଥାନରେ ରହି ସିଜିନ୍ ଶେଷ କରିଥିଲା।
ଇସ୍ତଫା ଦେବା ପରେ ଜୟବର୍ଦ୍ଧନେ କହିଛନ୍ତି, "ମୋ ହୃଦୟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ରହିବ। ଆମେ ସମସ୍ତେ ମିଶି ଯାହା ହାସଲ କରିଛୁ, ସେଥିପାଇଁ ମୁଁ ଗର୍ବିତ। ଆଗାମୀ ଦିନ ପାଇଁ ଟିମ୍କୁ ମୋର ଅନେକ ଶୁଭେଚ୍ଛା। ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ସମୟରେ ଜୟବର୍ଦ୍ଧନେଙ୍କ ଏହି ହଠାତ୍ ବିଦାୟ ସମସ୍ତଙ୍କୁ ଚକିତ କରିଛି।