ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପାଇଁ ମିନି ନିଲାମୀର ତାରିଖ ଓ ସ୍ଥାନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆର ଏକ ଫାଇଭ-ଷ୍ଟାର୍ ହୋଟେଲ୍ରେ ଏହି ବହୁପ୍ରତୀକ୍ଷିତ ଖେଳାଳି ନିଲାମୀ ଅନୁଷ୍ଠିତ ହେବ। କ୍ରିକବଜ୍ର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇର ଲଜିଷ୍ଟିକ୍ସ ଟିମ୍ ପକ୍ଷରୁ ଫ୍ରାଞ୍ଚାଇଜିଗୁଡ଼ିକୁ ପଠାଯାଇଥିବା ଏକ ହ୍ୱାଟ୍ସଆପ୍ ମେସେଜ୍ ଜରିଆରେ ଏହି ତାରିଖ ସ୍ପଷ୍ଟ ହୋଇଛି।
ବିସିସିଆଇ ଅନୁଯାୟୀ, ଆଇପିଏଲ୍ ୨୦୨୭ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ୨୦୨୬ ଡିସେମ୍ବର ୧୬ ତାରିଖରେ ଗୋଆ ସ୍ଥିତ 'ଆଇଟିସି ଗ୍ରାଣ୍ଡ୍ ଗୋଆ' ଠାରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଡିସେମ୍ବର ୧୫ ତାରିଖରେ ନିଲାମୀ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରାକ୍-ବ୍ରିଫିଂ ବୈଠକ ବସିବ। ଫ୍ରାଞ୍ଚାଇଜି ମାଲିକ ଓ ସିଇଓମାନେ ଗୋଆ ଗସ୍ତ ପାଇଁ ସେମାନଙ୍କ ଗମନାଗମନ ଓ ହୋଟେଲ ବୁକିଂ ବ୍ୟବସ୍ଥା ଯେପରି ସମୟପୂର୍ବରୁ ସାରିପାରିବେ, ସେଥିପାଇଁ ବିସିସିଆଇ ଏହି ପ୍ରାଥମିକ ସୂଚନା ଦେଇଛି। ଖୁବ୍ଶୀଘ୍ର ଏନେଇ ଆନୁଷ୍ଠାନିକ ଇମେଲ୍ ମଧ୍ୟ ଜାରି କରାଯିବ।
ତେବେ ଡିସେମ୍ବର ୧୬ ତାରିଖରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସେଥିପାଇଁ ନିଲାମୀ ତାରିଖରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଅପରପକ୍ଷରେ, ନିଲାମୀ ପୂର୍ବରୁ ଅନେକ ଆଇପିଏଲ୍ ଦଳ ନିଜର କୋଚିଂ ସପୋର୍ଟ ଷ୍ଟାଫ୍ରେ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ପଦରୁ ମହେଲା ଜୟବର୍ଦ୍ଧନେ ଓହରିଯାଇଥିବା ବେଳେ ଫ୍ରାଞ୍ଚାଇଜି ଏବେ ନୂଆ ମୁଖ୍ୟ କୋଚ୍ ସନ୍ଧାନରେ ରହିଛି।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ସୌରଭ ଗାଙ୍ଗୁଲୀଙ୍କୁ ଦଳର ନୂତନ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଥିବା ବେଳେ ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂହଙ୍କୁ ସହକାରୀ କୋଚ୍ ଦାୟିତ୍ୱ ପ୍ରଦାନ କରିଛି। ଏସବୁ ପରିବର୍ତ୍ତନ ପରେ ଆଗାମୀ ମିନି ଅକ୍ସନ୍ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।