ଭୁବନେଶ୍ୱର: କ୍ୟାମ୍ପସ୍ରେ ଜମିଲା ଛାତ୍ର ରାଜନୀତିର ଲଢ଼େଇ। ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଆସିବା ପରେ ବିଭିନ୍ନ କଲେଜରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଫଳାଫଳ ଅନୁସାରେ, ଭୁବନେଶ୍ୱରର ବିଜେବି କଲେଜ ଓ ରାଜଧାନୀ କଲେଜ ସମେତ ଅନେକ ଶିକ୍ଷାନୁଷ୍ଠାନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ବିଜେବିରେ ଆର୍ଯ୍ୟନ, ରାଜଧାନୀରେ ଅବିନାଶ ବିଜୟୀ
ଭୁବନେଶ୍ୱରର ପ୍ରମୁଖ କଲେଜଗୁଡ଼ିକର ଫଳାଫଳକୁ ନେଇ ବିଶେଷ ଚର୍ଚ୍ଚା ହେଉଛି। ବିଜେବି କଲେଜରେ ସଭାପତି ପଦ ହାସଲ କରିଛନ୍ତି ଆର୍ଯ୍ୟନ ମହାପାତ୍ର। ସେହିପରି ରାଜଧାନୀ କଲେଜରେ ଅବିନାଶ ପାଢ଼ୀ ସଭାପତି ଭାବେ ବିଜୟୀ ହୋଇଛନ୍ତି। ଜୟଦେବ କଲେଜରେ ମଧ୍ୟ ABVP ପ୍ରାର୍ଥୀଙ୍କ ବିଜୟ ହୋଇଥିବା ସୂଚନା ମିଳିଛି।
ସମ୍ବଲପୁରରୁ କେନ୍ଦ୍ରାପଡ଼ା, ଅନେକ କଲେଜରେ ବିଜୟ
ସମ୍ବଲପୁରର GM ବିଶ୍ୱବିଦ୍ୟାଳୟରେ ସଭାପତି ପଦରେ ସ୍ୱାଧୀନ ଆଚାର୍ଯ୍ୟ ଏବଂ ସମ୍ପାଦକ ପଦରେ ନିଖିଲ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ଅନ୍ୟପଟେ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଅନ୍ତେଇ କଲେଜ ଓ ବିଜୁ ପଟ୍ଟନାୟକ କଲେଜରେ ABVP ପ୍ରାର୍ଥୀ ବିଜୟ ହାସଲ କରିଥିବା ସୂଚନା ରହିଛି। ଅନୁଗୁଳ ମହିଳା କଲେଜ, କଟକ କଲେଜ ଏବଂ କିଶୋରନଗର ଡିଗ୍ରୀ କଲେଜରେ ମଧ୍ୟ ABVP ପ୍ରାର୍ଥୀଙ୍କ ବିଜୟ ହୋଇଛି।
ସକାଳେ ଭୋଟିଂ, ଅପରାହ୍ନରେ ଗଣତି
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥିଲା। ଏହାପରେ ବାଲଟ୍ ବକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯାଇ ଭୋଟ୍ ଗଣତି କରାଯାଇଥିଲା।
ଏବେ ବିଭିନ୍ନ କଲେଜର ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ଛାତ୍ର ରାଜନୀତିରେ କେଉଁ ସଂଗଠନର ପ୍ରଭାବ କେତେ ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।