ଭୁବନେଶ୍ବର: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ପୁଣିଥରେ ଚରମସୀମାରେ ପହଞ୍ଚିଛି ରାଜନୈତିକ ସରଗରମ। କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଆନ୍ଧ୍ର ସରକାର ପକ୍ଷରୁ ସୂଚନା ପ୍ରକାଶ ପାଇବା ପରେ ଓଡ଼ିଶା ସରକାରଙ୍କ ଅସୁବିଧା ବଢ଼ିଯାଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କଡ଼ା ସମାଲୋଚନା କରିବା ପରେ ଆରମ୍ଭ ହୋଇଛି ଜୋରଦାର ବୟାନବାଜି।
ନବୀନ ପ୍ରଶ୍ନ କରିଛନ୍ତି ଯେ, "ନିର୍ବାଚନ ସମୟରେ ବିଜେପି ଦେଇଥିବା 'ଓଡ଼ିଆ ଅସ୍ମିତା'ର ନାରା ଏବେ କୁଆଡ଼େ ଗଲା? କେନ୍ଦ୍ର ଓ ରାଜ୍ୟରେ 'ଡବଲ ଇଞ୍ଜିନ' ସରକାର ଥାଇ ମଧ୍ୟ ଆନ୍ଧ୍ରର ଏହିପରି ମନମୁଖୀ କାର୍ଯ୍ୟାନୁଷ୍ଠାନ ସାମ୍ନାରେ ଓଡ଼ିଶା ସରକାର କାହିଁକି ନୀରବ ଅଛନ୍ତି?" ୨୦୨୪ ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ଭୌଗୋଳିକ ଅଖଣ୍ଡତା ସୁରକ୍ଷିତ ରଖିବା ଓ ଓଡ଼ିଆ ସ୍ୱାଭିମାନ ଫେରାଇ ଆଣିବା ନେଇ ଦିଆଯାଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଇଛନ୍ତି ବିରୋଧୀ ଦଳ ନେତା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ ସ୍ଥାୟୀତ୍ୱ ପାଇଁ ତେଲୁଗୁ ଦେଶମ୍ ପାର୍ଟି (TDP)ର ସହଯୋଗ ଆବଶ୍ୟକ ଥିବାରୁ, କୋଟିଆ ମାମଲାରେ ରାଜ୍ୟ ବିଜେପି ନୀରବଦ୍ରଷ୍ଟା ସାଜିଛି କି?
କଂଗ୍ରେସର ବିରୋଧ ଓ ମନ୍ତ୍ରୀଙ୍କ କାଉଣ୍ଟର ରଣନୀତି
ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଠୋର ଭାବେ ଟାର୍ଗେଟ କରିଛି। ପିସିସି ସଭାପତି ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ପାଇଁ ବିଜେପି ଓଡ଼ିଶାର ମାଟିକୁ ବଳି ପକାଉଛି। କୋଟିଆର ସୁରକ୍ଷା ପାଇଁ କଂଗ୍ରେସ ନୀରବ ରହିବ ନାହିଁ, ବରଂ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ।