କେନ୍ଦ୍ରାପଡ଼ା: ଜଣେ ସାଙ୍ଗକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲେ ଆଉ ଦୁଇ ଜଣ। ଶେଷରେ ଲୁଣା ନଦୀରେ ଚାଲିଗଲା ତିନି ଯୁବକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଗାହଗା ଘାଟରେ ଘଟିଛି।
ମୃତକମାନେ ହେଲେ ହିମାଂଶୁ ଶେଖର ଶତପଥୀ ଓରଫ ଆଶିଷ, ସବ୍ୟସାଚୀ ସ୍ୱାଇଁ ଓ ଚିରଞ୍ଜୀବ ପରିଡ଼ା। ମଙ୍ଗଳବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ସେମାନେ ଅନ୍ୟ ଦୁଇ ଜଣଙ୍କ ସହ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ।
ଗାଧୋଇବା ସମୟରେ ପ୍ରଥମେ ହିମାଂଶୁ ପାଣିରେ ଭାସିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ସବ୍ୟସାଚୀ ଓ ଚିରଞ୍ଜୀବ ନଦୀକୁ ପଶିଥିଲେ। କିନ୍ତୁ ପ୍ରବଳ ଜଳସ୍ରୋତରେ ତିନି ଜଣ ଯାକ ବୁଡ଼ିଯାଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ତିନି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣାର ପ୍ରତ୍ୟକ୍ଷଦର୍ଶୀ କୈବଲ୍ୟ କୁମାର ଜେନାଙ୍କ କହିବା ଅନୁସାରେ, ନଦୀର ସେହି ସ୍ଥାନରେ ଦଳିଆ ବାଲି ଥିବା ସହ ପ୍ରବଳ ଜଳସ୍ରୋତ ରହିଛି। ଏହି ଘଟଣା ପରେ ଗାହଗା ଗାଁରେ ଶୋକର ମାହୋଲ ଖେଳିଯାଇଛି। ଦୁର୍ଗାପୂଜାର ଖୁସି ମଧ୍ୟରେ ତିନି ଯୁବକଙ୍କ ମୃତ୍ୟୁ ପରିବାର ଓ ଗ୍ରାମବାସୀଙ୍କୁ ମର୍ମାହତ କରିଛି।