ଭୁବନେଶ୍ୱର : ଆସନ୍ତା ୨୪ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆସନ୍ତାକାଲି ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ସହ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହା ସହ ଉପରି ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଅନ୍ୟପଟେ ସାମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ବିଭିନ୍ନ ପାଣିପାଗ ମଡେଲ୍ ରେ ଏହାର ତୀବ୍ରତା ଓ ଗତିପଥକୁ ନେଇ ଭିନ୍ନ ଭିନ୍ନ ସଙ୍କେତ ମିଳୁଛି ।
ଆଇଏମଡି କହିଛି ବଙ୍ଗୋପସାଗରର ପାଣିପାଗ ସ୍ଥିତି ଉପରେ ନଜର ରଖାଯାଇଛି । ଅବପାତ ଗଠନର କୌଣସି ସଙ୍କେତ ଦିଆଯାଇନାହିଁ । ଏବେ ସୁଦ୍ଧା ଆଇଏମଡି ପକ୍ଷରୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ପୂର୍ବାନୁମାନ ମଧ୍ଯ ଦିଆଯାଇନାହିଁ ।
ତେବେ ଅନ୍ୟ ପାଣିପାଗ ବିଭାଗର ମଡେଲ୍ ଅନୁଯାୟୀ ଅକ୍ଟୋବର ଶେଷ ଆଡକୁ ବଙ୍ଗୋପସାଗରରେ ବାତ୍ଯା ଆସିପାରେ ବୋଲି ଅନୁମାନ କରାଯାଇଛି।