ଭୁବନେଶ୍ୱର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଆଜିର ଦିନରେ ମହିଷାସୁରକୁ ବଦ୍ଧ କରିଥିଲେ ଦଶଭୂଜା ମା ଦୁର୍ଗା । ପୂଜା ମଣ୍ଡପରେ ଦଶଭୂଜା ମା ଦୁର୍ଗାଙ୍କ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।
ଶେଷ ଦିନରେ ମାଆଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ପୂଜା ମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟ ଘଣ୍ଟା, ବାଜା, ହୁଳହୁଳିରେ କମ୍ପୁଛି ଗଗନ ପବନ । ଦଶହରାରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଦହି ପଖାଳର ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ ବିଜୟାଦଶମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ମୋଟ 9ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି । ସେହିପରି କଟକରେ ମଧ୍ୟ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ରାବଣ ପୋଡ଼ି ପାଇଁ ପ୍ରଶାସନ ସ୍ୱତନ୍ତ୍ର କଟକଣା ଜାରି କରିଛି ।
ସେହିପରି ଆଜି ବିଭିନ୍ନ ସ୍ଥାନରେ ଦଶହରା ତିଥି ସରିବା ପରେ ବିସର୍ଜନ ମଧ୍ୟ କରାଯିବ ଏବଂ ଭସାଣୀ ଆରମ୍ଭ ହେବ । ସେଥିପାଇଁ ମଧ୍ୟ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭସାଣି ଶୋଭାଯାତ୍ରାରେ ଡିଜେ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ରାତି ୧୦ଟା ପରେ ଉଚ୍ଚ ସ୍ୱରରେ ଗୀତ ବାଜି ପାରିବ ନାହିଁ । ଭସାଣିରେ କେବଳ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇପାରିବ। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତେବେ ସମ୍ପୃକ୍ତ ପୂଜା କମିଟି ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ।
ଭସାଣି ପରିଚାଳନା ପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପ୍ରାୟ ୧୦୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହେବେ। ସେହିପରି ରାବଣପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ମିଳିଛି। ପ୍ରତ୍ୟେକ ସ୍ଥାନରେ ଅଗ୍ନି ନିରାପତ୍ତା ଓ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ।
କୁଆଖାଇ ନଦୀ ନିକଟରେ ୩ଟି, ଦୟା ନଦୀ ନିକଟରେ ୨ଟି ଓ ଚନ୍ଦକା ଅଞ୍ଚଳରେ ଗୋଟିଏ ଅସ୍ଥାୟୀ ଭସାଣି ସ୍ଥାନ ବ୍ୟବସ୍ଥା କରାଯାଇଛି। ଭସାଣି ଶୋଭାଯାତ୍ରା ଶୀଘ୍ର ଶେଷ କରିବା ସହ ପୋଲିସକୁ ସହଯୋଗ କରିବାକୁ ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ଅନୁରୋଧ କରାଯାଇଛି।