ପୁରୀ : ବହୁଚର୍ଚ୍ଚିତ କୁମ୍ଭାରପଡା ମାଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଅ ଗିରଫ। ହତ୍ଯାକାରୀ ପୁଅ ମଦନ ଗଜାନନ ଦଳେଇକୁ ଦୀର୍ଘ ୫୭ ଦିନ ପରେ ଗିରଫ କରିଛି ପୁରୀ ପୋଲିସ। ଝାଡ଼ଖଣ୍ଡର ଜାମସେଦପୁର (ଟାଟାନଗର) ଅଞ୍ଚଳରୁ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି।
ଅଭିଯୁକ୍ତ ପୁଅ ମଦନ, ପୁରୀର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ଭଡ଼ା ଘରେ ନିଜ ବୃଦ୍ଧା ମାଆଙ୍କୁ ହତ୍ୟା କରିଥିଲା। ହତ୍ୟା କରିବା ପରେ ସେ ମାଆଙ୍କ ମୃତଦେହକୁ ରୋଷେଇ ଘର ସ୍ଲାବ ତଳେ ପୋତି ସିମେଣ୍ଟରେ ପ୍ଲାଷ୍ଟର କରି ଦେଇଥିଲା ଏବଂ ସେଠାରୁ ଫେରାର ହୋଇଯାଇଥିଲା।ଗତ ଅଗଷ୍ଟ ୨୪ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ଘଟଣା ପରଠାରୁ ଅଭିଯୁକ୍ତର କୌଣସି ପତ୍ତା ମିଳୁନଥିଲା। ତାକୁ ଧରିବା ପାଇଁ ପୁରୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା।
ତେବେ ଅଭିଯୁକ୍ତର କୌଣସି ଡିଜିଟାଲ ସମ୍ପର୍କ ବା ମୋବାଇଲ୍ ବ୍ୟବହାର ନଥିବାରୁ ତାକୁ ଟ୍ରାକ୍ କରିବା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା। ସେ ପୋଲିସକୁ ଚକମା ଦେଇ କୋଲକାତା, ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ବିଭିନ୍ନ ସ୍ଥାନକୁ ଫେରାର ହୋଇଯାଉଥିଲା। ଫେରାର ଥିବା ସମୟରେ ସେ ଜାମସେଦପୁରରେ ନିଜର ପରିଚୟ ଲୁଚାଇ ଏକ ଦୋକାନରେ ଦୋସା ବିକ୍ରି କରୁଥିଲା।
ଗିରଫ ପରେ ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ପୁରୀ ଅଣାଯାଇ ଘଟଣା ସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି ଏବଂ ହତ୍ୟାର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ ଜାରି ରହିଛି।