ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନବୀନ ଉଦବେଗ ପ୍ରକାଶ କରିଛନ୍ତି । ୨୦୨୪ ନିର୍ବାଚନ ଇସ୍ତାହାରରେ କୋଟିଆ ବିବାଦ ଦୂର କରିବାକୁ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ନବୀନ ଚିଠିରେ ପ୍ରଶ୍ନ କରିଛନ୍ତି ।
ବିରୋଧୀ ଦଳ ନେତା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ ସେତେବେଳେ ସେ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆକୁ ପାଇଁ ଲଢ଼େଇ କରୁଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ଆନ୍ଧ୍ର ଫେକିଯାଅ ବୋଲି ନାରାବାଜି ଦେଉଥିଲା । ଏମିତିକି ନିର୍ବାଚନ ପୂର୍ବରୁ ବିଜେପି ସଂକଳ୍ପ ପତ୍ର କୋଟିଆ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଆଜି ଆନ୍ଧ୍ର ସେଠାରେ ନିର୍ବାଚନ କରିବାକୁ ଘୋଷଣା କରିଛି । ଆଜିର ତଥାକଥିତ ଡବଲ ଇଞ୍ଜିନ ସରକାରରେ ଏହା କିପରି ସମ୍ଭବ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ନବୀନ କହିଛନ୍ତି ଯେ ଏନଡିଏରେ ସଂଖ୍ୟା ଗରିଷ୍ଠତା ପାଇଁ ତେଲୁଗୁ ଦେଶମ ପାର୍ଟିର ସହଯୋଗ ଗୁରୁତ୍ୱପୂର୍ଣ୍ଣ । ରାଜନୈତିକ ନିର୍ଭରଶୀଳତା କ’ଣ ଓଡ଼ିଶା ବିଜେପି ସରକାରଙ୍କ ନୀରବତା ଏବଂ ଓଡ଼ିଶାର ସ୍ୱାର୍ଥ ଏବଂ ଆଞ୍ଚଳିକ ଅଖଣ୍ଡତା ସହିତ ସାଲିସ କରିବାକୁ ଇଚ୍ଛୁକତାର କାରଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି । ସେହିପରି ନବୀନ ୨୦୨୫ ମସିହାରେ ଗଠିତ ଉଚ୍ଚସ୍ତରୀୟ ୧୬ ସଦସ୍ୟ ବିଶିଷ୍ଟ କୋଟିଆ କମିଟିର ସୁପାରିଶଗୁଡ଼ିକ କ’ଣ ଥିଲା ଏବଂ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ପ୍ରଶ୍ନ କରିଛନ୍ତି । କୋଟିଆ ଉପରେ ଓଡ଼ିଶାର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି ।