ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ଦୁଇ ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ କୋର୍ଟରୁ ପୁଣିଥରେ ନିରାଶ ମିଳିଛି। ସ୍ପେଶାଲ ଏଗ୍ଜିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ (SEM) କୋର୍ଟ ଉଭୟଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆଉ ଦୁଇ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ତାଙ୍କୁ ପୁଣି ତିହାଡ଼ ଜେଲ୍କୁ ପଠାଇ ଦିଆଯାଇଛି। ଆସନ୍ତା ବୁଧବାର, ଅକ୍ଟୋବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଗତ ଅକ୍ଟୋବର ୧୩ ତାରିଖରେ ଦିଲ୍ଲୀ ପୋଲିସ ଏହି ଦୁଇ ନେତାଙ୍କୁ ଜନ୍ତର-ମନ୍ତର ନିଷିଦ୍ଧାଞ୍ଚଳରୁ ଅଟକ ରଖିଥିଲା। ବିନା ଅନୁମତିରେ ସେଠାରେ ପ୍ରବେଶ କରି ବିରୋଧ ପ୍ରଦର୍ଶନ କରିବା ଅଭିଯୋଗରେ ୧୪ ଅକ୍ଟୋବରରେ ସେମାନଙ୍କୁ SEM କୋର୍ଟରେ ହାଜର କରାଯାଇଥିଲା। ସେତେବେଳେ କୋର୍ଟ ଉଭୟଙ୍କୁ ୫ ଦିନିଆ ତିହାଡ଼ ଜେଲ୍ ପଠାଇଥିଲେ। ଆଜି ମନ୍ଦିର ମାର୍ଗ ଥାନା ସ୍ଥିତ SEM କୋର୍ଟରେ ଆଇନଗତ ପ୍ରକ୍ରିୟା ପାଇଁ ସେମାନଙ୍କୁ ହାଜର କରାଯାଇଥିଲା।
ଜାମିନ ଥାଇ ବି କାହିଁକି ବଢ଼ିଲା ଜେଲ୍ ?
ସିଜେପିର ଆଇନଗତ ଟିମ୍ ପକ୍ଷରୁ କୋର୍ଟରେ ଜାମିନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଏବଂ ଜାମିନଦାରଙ୍କୁ ହାଜର କରାଯାଇଥିଲା। କିନ୍ତୁ ଗିରଫ ହୋଇଥିବା ଦିନ କୋର୍ଟରେ ଜାମିନଦାର ଉପସ୍ଥିତ ନଥିବା କାରଣରୁ ମାମଲା ଜଟିଳ ହୋଇଥିଲା। ଆଜି ସମସ୍ତ ପ୍ରମାଣ ଦିଆଯାଇଥିଲେ ହେଁ କୋର୍ଟ ହାଜତ ଅବଧିକୁ ଆଉ ୨ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଘଟଣାକୁ ନେଇ CJP ପକ୍ଷରୁ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରାଯାଇଛି। ପାର୍ଟିର କହିବା କଥା, ସୌରଭ ଓ ଆଶୁତୋଷ କେବଳ ଜାତୀୟ ପତାକା ଉଡାଇବା ଏବଂ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ଯାଇଥିଲେ। ଲିଗାଲ୍ ହେଡ୍ ରତ୍ନା ସିଂହ ଏବଂ ନେତା ଅଭିଜିତ୍ ଦୀପକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଓ ପ୍ରଶାସନ ଜାଣିଶୁଣି ଶୁଣାଣିରେ ବିଳମ୍ବ କରି ସେମାନଙ୍କୁ ବେଆଇନ ଭାବେ ଜେଲ୍ରେ ରଖିବାକୁ ଚେଷ୍ଟା କରୁଛନ୍ତି।