ନୂଆଦିଲ୍ଲୀ: ଦୀର୍ଘ ୧୬ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ସେ। ଏହି ଗସ୍ତ ଭାରତ-ପୋଲାଣ୍ଡ ସମ୍ପର୍କକୁ ନୂଆ ଦିଗ ଦେବା ସହ ଉଭୟ ଦେଶର ରଣନୈତିକ ସହଭାଗିତାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।
ଆତଙ୍କବାଦ ପ୍ରସଙ୍ଗରେ ପୋଲାଣ୍ଡ ଭାରତକୁ ସମର୍ଥନ ଦେବା ନେଇ ପୂର୍ବରୁ ସଙ୍କେତ ଦେଇଥିବାରୁ ଏହି ଗସ୍ତକୁ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
୨୨ ଅକ୍ଟୋବରରେ ମୋଦୀ-ଟସ୍କଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅକ୍ଟୋବର ୨୨ରେ ନୂଆଦିଲ୍ଲୀରେ ମୋଦୀ ଓ ଟସ୍କଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ନୂଆ ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ଶିକ୍ଷା ଓ ସଂସ୍କୃତି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହେବ।
ପୋଲାଣ୍ଡର ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଆନ୍ଦ୍ରେଜ ଡୋମାନସ୍କିଙ୍କ ସହ ଏକ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିବେ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଓ ନିବେଶର ନୂଆ ସୁଯୋଗ ସୃଷ୍ଟି ହେବା ଆଶା ରହିଛି।
ବେଙ୍ଗାଲୁରୁରେ ଆଇଟି ଓ ମହାକାଶ କ୍ଷେତ୍ର ଉପରେ ଫୋକସ୍
ଭାରତ ଗସ୍ତ ସମୟରେ ଟସ୍କ ବେଙ୍ଗାଲୁରୁ ଯିବେ। ସେଠାରେ ଆଇଟି ଓ ମହାକାଶ କ୍ଷେତ୍ର ସହ ଜଡ଼ିତ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଅକ୍ଟୋବର ୨୨ରେ ନୂଆଦିଲ୍ଲୀ ଓ ୨୩ରେ ବେଙ୍ଗାଲୁରୁରେ ଭାରତ-ପୋଲାଣ୍ଡ ବ୍ୟବସାୟ ଫୋରମ୍ ଆୟୋଜନ ହେବ।
ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ପୋଲାଣ୍ଡର ସମର୍ଥନ
ଭାରତରେ ପୋଲାଣ୍ଡର ରାଷ୍ଟ୍ରଦୂତ ପିଓତ୍ର ଆଣ୍ଟୋନି ସ୍ୱିତାଲସ୍କି ପୂର୍ବରୁ କହିଥିଲେ ଯେ ଆତଙ୍କବାଦ ବିରୋଧୀ ଲଢ଼େଇରେ ପୋଲାଣ୍ଡ ଭାରତ ସହ ଦୃଢ଼ ଭାବେ ଠିଆ ହେବ। ତେଣୁ ଏହି ଗସ୍ତରେ ଆତଙ୍କବାଦ ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ଆଲୋଚନାର ଅଂଶ ହୋଇପାରେ।
ଉଲ୍ଲେଖଯୋଗ୍ୟ, ୨୦୨୪ ଅଗଷ୍ଟରେ ମୋଦୀ ୪୫ ବର୍ଷ ପରେ ପୋଲାଣ୍ଡ ଗସ୍ତ କରିଥିଲେ। ସେହି ଗସ୍ତ ପରେ ଦୁଇ ଦେଶର ସମ୍ପର୍କକୁ ରଣନୈତିକ ସହଭାଗିତାର ସ୍ତରକୁ ଉନ୍ନୀତ କରାଯାଇଥିଲା। ଏବେ ଟସ୍କଙ୍କ ଭାରତ ଗସ୍ତ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବାର ଏକ ବଡ଼ ସୁଯୋଗ।