ସୋଫିଆ: ଆକାଶରେ ଉଡ଼ୁଥିବା ବେଳେ ବିମାନକୁ ବୋମା ଧମକ ସଙ୍କେତ! ଏହାପରେ ଜରୁରୀ ଅବତରଣ କଲା ଅଷ୍ଟ୍ରିଆନ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ। ଅକ୍ଟୋବର ୧୮ ତାରିଖରେ ଇସ୍ରାଏଲର ତେଲ୍ ଆଭିଭ୍ରୁ ଭିଏନା ଯାଉଥିବା ବିମାନଟି ବୁଲଗେରିଆର ସୋଫିଆ ବିମାନବନ୍ଦରରେ ଅବତରଣ କରିଥିଲା।
ବିମାନରେ ୫୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ସମସ୍ତେ ସୁରକ୍ଷିତ ଥିବା ବେଳେ କାହାରି ଆହତ ହେବା ଖବର ନାହିଁ।
ପିଛା କଲା ଯୁଦ୍ଧ ବିମାନ
ବିମାନରେ ବୋମା ଧମକ ସଙ୍କେତ ମିଳିବା ପରେ ବୁଲଗେରିଆ ବାୟୁସେନାର MiG-29 ଯୁଦ୍ଧ ବିମାନ ଏହାକୁ ଏସକର୍ଟ କରିଥିଲା। ବିମାନ ଅବତରଣ ପରେ ଯାତ୍ରୀମାନଙ୍କୁ ବାହାର କରାଯାଇ ସୁରକ୍ଷା ଯାଞ୍ଚ କରାଯାଇଥିଲା।
ଆରମ୍ଭ ହେଲା ତଦନ୍ତ
ଘଟଣାକୁ ନେଇ ବୁଲଗେରିଆରେ ତଦନ୍ତ ଆରମ୍ଭ ହୋଇଛି। ବିମାନରେ ପ୍ରକୃତରେ ବୋମା ଥିଲା କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ତୁରନ୍ତ ପଦକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।