ବଲାଙ୍ଗୀର: ଦୁର୍ଗାପୂଜାର ଉତ୍ସବମୁଖର ପରିବେଶରେ ଝଲସୁଛି ବଲାଙ୍ଗୀର ସହର। ମା’ ଦୁର୍ଗାଙ୍କ ଦର୍ଶନ ସହ ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ବିଭିନ୍ନ ପୂଜା ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼। ତେବେ ଏଥର ରାଜେନ୍ଦ୍ରପଡ଼ାର ଦୁର୍ଗାପୂଜା ମଣ୍ଡପ ଏକ ନିଆରା ଥିମ୍ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସଜାଯାଇଛି ଏହି ମଣ୍ଡପ।
ମଣ୍ଡପରେ ଝଲକୁଛି ପଶ୍ଚିମ ଓଡ଼ିଶାର ପରମ୍ପରା
ରାଜେନ୍ଦ୍ରପଡ଼ା ପୂଜା କମିଟି ପକ୍ଷରୁ ମଣ୍ଡପର ପ୍ରବେଶ ତୋରଣଠାରୁ ଆରମ୍ଭ କରି ପୂରା ପରିସରକୁ ନୂଆଖାଇର ପରମ୍ପରା ଓ ସଂସ୍କୃତିକୁ ଆଧାର କରି ସଜାଯାଇଛି। ନୂଆଖାଇ ସହ ଜଡ଼ିତ ବିଭିନ୍ନ ପରମ୍ପରାକୁ ସାଜସଜ୍ଜା ମାଧ୍ୟମରେ ଦର୍ଶାଯାଇଛି। ପ୍ରତିବର୍ଷ ଏକ ନୂଆ ଥିମ୍ରେ ମଣ୍ଡପ ସଜାଉଥିବା କମିଟି ଏଥର ନୂଆଖାଇକୁ ବାଛିଛି। ଏହି ପ୍ରୟାସକୁ ଲୋକେ ପସନ୍ଦ କରୁଥିବା କମିଟିର ଜଣେ ସଦସ୍ୟ କହିଛନ୍ତି।
ଅଷ୍ଟମୀ ପରେ ଆରମ୍ଭ ନବମୀ ପୂଜା
ଅନ୍ୟପଟେ ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି। ଅଷ୍ଟମୀ ପୂଜା ସମ୍ପନ୍ନ ହେବା ପରେ ନବମୀ ପୂଜା ଆରମ୍ଭ ହୋଇଛି। ପୂଜକଙ୍କ କହିବା ଅନୁସାରେ, ମା’ଙ୍କ ସନ୍ଧିପୂଜା ପରେ ଆଳତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଭକ୍ତମାନଙ୍କୁ ମା’ଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିଲା।
ସନ୍ଧ୍ୟା ସମୟରେ ମଣ୍ଡପର ସାଜସଜ୍ଜା ଦେଖିବା ସହ ମା’ଙ୍କ ଦର୍ଶନ ପାଇଁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ନୂଆଖାଇର ସାଂସ୍କୃତିକ ଝଲକ ଓ ଦୁର୍ଗାପୂଜାର ଆଧ୍ୟାତ୍ମିକ ପରିବେଶ ରାଜେନ୍ଦ୍ରପଡ଼ା ମଣ୍ଡପକୁ ଏକ ନିଆରା ପରିଚୟ ଦେଇଛି।