ଭୁବନେଶ୍ୱର : ଏଥର ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି କାରଣରୁ ବିଶେଷ କରି ଚାଷୀ ଭାଇ ଓ ଭଉଣୀମାନଙ୍କର ବ୍ୟାପକ ଫସଲ ହାନି ଓ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏ ବର୍ଷ ରାଜ୍ୟର ଚାଷୀକୂଳ ଏବଂ ସାଧାରଣ ଜନତା ବିପତ୍ତିରେ ଥିବାରୁ ଚଳିତ ଦଶହରାରେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର କିମ୍ବା ଅନ୍ୟ କୌଣସି ସ୍ଥାନରେ ପୂଜା ମଣ୍ଡପ ବୁଲି ଦର୍ଶନ କରିବେ ନାହିଁ ବୋଲି ଏକ୍ସ ମାଧ୍ୟମରେ ଜଣାଇ ସ୍ପଷ୍ଟ କରିଛନ୍ତି ।
ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଚାଷୀମାନେ ସର୍ବସ୍ୱ ହରାଇଥିବା ବେଳେ ସରକାର ସେମାନଙ୍କ ଦୁଃଖରେ ସାମିଲ ହେବା ପାଇଁ ଉତ୍ସବକୁ ଅତି ସରଳ ବା ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସରକାର ପୂଜା କମିଟିଗୁଡ଼ିକ ପାଇଁ ଜମି ଭଡ଼ା ଛାଡ଼ କରିବା ଭଳି ଜନହିତକର ପଦକ୍ଷେପ ନେଇଥିଲେ ମଧ୍ୟ, ବର୍ତ୍ତମାନର ବନ୍ୟା ଓ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜେ ଏହି ଉତ୍ସବର ତେଜ ଦୂରେଇ ରଖିବାକୁ ପସନ୍ଦ କରିଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ବା ନିଜ ପକ୍ଷରୁ କୌଣସି ଜାକଜମକପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ନ ହୋଇ ବିପନ୍ନଙ୍କ ସହାୟତା ଉପରେ ଅଧିକ ଗୁରୁତ୍ୱ ଏବଂ ଧ୍ଯାନ ଦେଉଛନ୍ତି ।