ସଙ୍ଗରୁର: ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଲହରାଗାଗା-ଜାଖଲ ରାସ୍ତାରେ ଏକ ବେପରୁଆ କାର୍ ରାସ୍ତା କାମରେ ନିୟୋଜିତ ଥିବା ମନରେଗା ଶ୍ରମିକଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ପାଖାପାଖି ୨୩ ଜଣ ମହିଳା ଓ ପୁରୁଷ ମନରେଗା ଶ୍ରମିକ କାମ କରୁଥିଲେ। ଏହି ସମୟରେ ହଠାତ୍ ଏକ ଅନିୟନ୍ତ୍ରିତ କାର୍ ଦ୍ରୁତ ଗତିରେ ଆସି ଶ୍ରମିକମାନଙ୍କୁ ଦଳି ଚାଲିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ସହ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ।
ଶୋକ ପ୍ରକାଶ କଲେ କଂଗ୍ରେସ ନେତା ରାଜା ୱାରିଂ
ଏହି ମର୍ମନ୍ତୁଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଅମରିନ୍ଦର ସିଂହ ରାଜା ୱାରିଂ। ସେ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ। ଗରିବ ଶ୍ରମିକମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଆହତମାନଙ୍କୁ ତୁରନ୍ତ ସମୁଚିତ ଚିକିତ୍ସା ଯୋଗାଇଦେବା, ଦୋଷୀ କାର ଚାଳକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି।