ଢାକା: ଅଗରତାଲାରୁ କୋଲକାତା ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ବାଂଲାଦେଶ ଢାକାରେ ଜରୁରୀ ଅବତରଣ କରିଛି । ଏୟାର ଆମ୍ବୁଲାନ୍ସର କବାଟ ମଝି ଆକାଶରେ ଖୋଲି ଯିବାରୁ ଜରୁରୀ ଅବତରଣ କରାଯାଇଛି । ତେବେ ସେଥିରେ ଥିବା ରୋଗୀଙ୍କର ମୃତ୍ୟୁ ହୋଇଛି ।
ରବିବାର ବୀଚକ୍ରାଫ୍ଟ କିଙ୍ଗ ଏୟାର ସି୯୦ଏ ବିମାନଟି ତ୍ରିପୁରାର ଅଗରତାଲାରୁ ଜଣେ ମହିଳା ରୋଗୀଙ୍କୁ ନେଇ କୋଲକାତା ଅଭିମୁଖେ ଆସୁଥିଲା । ଏୟାର ଆମ୍ବୁଲାନ୍ସ ପ୍ରାୟ ୧୨୦୦୦ ଫୁଟ୍ ଉପରେ ଉଡ଼ୁଥିବାବେଳେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଏବଂ ତୁରନ୍ତ କବାଟ ସାମାନ୍ୟ ଖୋଲି ଯାଇଥିଲା । ବିମାନ ଚାଳକ ତୁରନ୍ତ ଢାକାର ହଜରତ ଶାହଜଲାଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲେ । ସେଥିରେ ମୋଟ ୬ ଜଣ ଯାତ୍ରୀ ଥିଲେ । ପାଇଲଟ୍, ଜଣେ ଡାକ୍ତର, ଜଣେ ପାରାମେଡ଼ିକାଲ ଷ୍ଟାଫ୍, ରୋଗୀ ଏବଂ ତାଙ୍କର ଦୁଇ ଜଣ ସମ୍ପର୍କୀୟ ଥିଲେ । ସେପଟେ ଉକ୍ତ ରୋଗୀଙ୍କୁ ତୁରନ୍ତ ଢାକାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ସାଢ଼େ ଚାରିଟା ସମୟରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ତର୍ଜାତୀୟ ଅବତରଣ ପାଇଁ ପୂର୍ବ ଅନୁମତି ନଥିବା ସତ୍ତ୍ୱେ, ବାଂଲାଦେଶୀ କର୍ତ୍ତୃପକ୍ଷ ମାନବିକତା ଦୃଷ୍ଟିରୁ ବିମାନକୁ ଅବତରଣ କରିବା ପାଇଁ ତୁରନ୍ତ ଅନୁମତି ପ୍ରଦାନ କରିଥିଲେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଇଥିଲେ। ଏହି ଘଟଣା ପରେ, ଢାକାରେ ଥିବା ଭାରତୀୟ ଉଚ୍ଚାୟୋଗ ଆବଶ୍ୟକୀୟ କୂଟନୈତିକ ଔପଚାରିକତା ପୂରଣ କରିବା ପାଇଁ ବାଂଲାଦେଶୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଏୟାର ଆମ୍ବୁଲାନ୍ସଟି ଭାରତୀୟ କମ୍ପାନୀ SKB ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଛି ।