ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ୍ କରି ମୁମ୍ବାଇରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବାରେ ସୁରଟ ରେଳ ଷ୍ଟେସନର ସିସିଟିଭି (CCTV) ଫୁଟେଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସାମ୍ନାକୁ ଆସିଥିବା ଏହି ଭିଡିଓରେ ତିନିଜଣଯାକ ଅଭିଯୁକ୍ତ ଟ୍ରେନ୍ ଧରିବା ପାଇଁ ଷ୍ଟେସନରେ ଦ୍ରୁତ ଗତିରେ ଦୌଡ଼ୁଥିବା ନଜର ଆସିଛନ୍ତି। ମୁମ୍ବାଇ ପୋଲିସ ସୋମବାର ସକାଳେ ରାଜସ୍ଥାନର କୋଟା ଷ୍ଟେସନରୁ ତିନିଜଣଙ୍କୁ ଗିରଫ କରିଛି।
ଗତ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ କ୍ଲବ୍ ବାହାରୁ କାର୍ରେ ବାହାରୁଥିବା ସମୟରେ ବାଇକ୍ ଆରୋହୀ ତିନିଜଣ ଦୁର୍ବୃତ୍ତ ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ୍ କରି ଗୁଳିଚାଳନା କରିଥିଲେ। ତେବେ ଏହି ଆକ୍ରମଣରେ ଅଭିନେତା ସୁରକ୍ଷିତ ରହିଥିବାବେଳେ ତାଙ୍କୁ କୌଣସି ଆଘାତ ଲାଗି ନାହିଁ । ଘଟଣା ପରେ ଅଭିଯୁକ୍ତମାନେ ସଡ଼କ ପଥରେ ମୁମ୍ବାଇରୁ ସୁରଟ ପହଞ୍ଚିଥିଲେ ଏବଂ ସେଠାରୁ ପୁଣେ-ଜୟପୁର ଏକ୍ସପ୍ରେସ୍ ଟ୍ରେନରେ ଚଢ଼ି ଫେରାର ହେବାକୁ ଉଦ୍ୟମ କରୁଥିଲେ। ପୋଲିସର ସୂଚନା ଅନୁଯାୟୀ, ସେମାନେ ଦିଲ୍ଲୀ ଦେଇ ନେପାଳ ପଳାଇବା ଯୋଜନାରେ ଥିଲେ।
ସିସିଟିଭି ଫୁଟେଜ୍ରେ କ’ଣ ରହିଛି ?
ସୁରଟ ରେଳଷ୍ଟେସନର ଦୁଇଟି ସିସିଟିଭି ଫୁଟେଜ୍ରେ ସନ୍ଦିଗ୍ଧମାନଙ୍କର ଚଳପ୍ରଚଳ ସ୍ପଷ୍ଟ ଭାବେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ତିନିଜଣଯାକ ଦ୍ରୁତ ଗତିରେ ଟ୍ରେନ ଆଡ଼କୁ ଦୌଡ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ସଫା ରଙ୍ଗର ସାର୍ଟ ପିନ୍ଧିଥିବାବେଳେ ତୃତୀୟ ଜଣକ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ଏବଂ ତାଙ୍କ ପାଖରେ ଏକ ବ୍ୟାଗ୍ ରହିଛି। ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଭାଙ୍ଗି ସେମାନେ ତରବରିଆ ଭାବେ ପ୍ଲାଟଫର୍ମ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି।
କିପରି ହେଲା ଗିରଫଦାରୀ ?
ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ କୋଟା ମଣ୍ଡଳର ଆରପିଏଫ୍ (RPF) କୁ ସତର୍କ କରାଯାଇଥିଲା ଯେ ସନ୍ଦିଗ୍ଧମାନେ ପୁଣେ-ଜୟପୁର ଏକ୍ସପ୍ରେସରେ ଯାତ୍ରା କରୁଛନ୍ତି। ଏହାପରେ ସୋମବାର ସକାଳ ପ୍ରାୟ ୧୦:୧୫ ମିନିଟ୍ରେ କୋଟା ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ସାଧାରଣ ବଗିରୁ ତିନିଜଣଙ୍କୁ କାବୁ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ହରିୟାଣାର ସୋନିପତ ନିବାସୀ ୧୮ ବର୍ଷୀୟ ରେହାନ୍ ଅର୍ଫ ସୁକ୍କା, ବିହାରର ମୂଳବାସୀ ତଥା ମୁମ୍ବାଇ ଅନ୍ଧେରୀ ପଶ୍ଚିମରେ ରହୁଥିବା ୨୨ ବର୍ଷୀୟ ଋତିକ କୁର୍ମୀ ଅର୍ଫ ରୋଶନ ଫାଇଟର୍ ଏବଂ ୧୮ ବର୍ଷୀୟ ଫୁଲ୍ ସିଂହ ଭାବେ ଜଣାପଡ଼ିଛି। ପ୍ରାରମ୍ଭରେ ଜଣେ ଅଭିଯୁକ୍ତ ନାବାଳକ ବୋଲି କୁହାଯାଉଥିଲେ ମଧ୍ୟ ପୋଲିସ ସମସ୍ତେ ସାବାଳକ ବୋଲି ସ୍ପଷ୍ଟ କରିଛି। ଏହି ମାମଲାରେ ବାଇକ୍ ଟ୍ୟାକ୍ସି ସେବା 'ର୍ୟାପିଡୋ' ର କିଛି ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।