ନାଗପୁର: ଆଜି ହେଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଉତ୍ସବ । ଏହା ସହିତ ଆଜି ବିଜୟାଦଶମୀ । ଏଥିପାଇଁ ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ମହାଆଡ଼ମ୍ବରରେ ପାଳିତ ହେଉଛି ପ୍ରତିଷ୍ଠା ଦିବସ । ଏଥିରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ଦୈନିକ ମୁଖ୍ୟ ଅତିଥି ଜାଗରଣର ମୁଖ୍ୟ ସମ୍ପାଦକ ସଞ୍ଜୟ ଗୁପ୍ତା, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରମୁଖ ଯୋଗ ଦେଇଛନ୍ତି ।
ମୁଖ୍ୟାଳୟ ପରିସରରେ ଶସ୍ତ୍ର ପୂଜାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଜୟାଦଶମୀ ଅବସରରେ ପ୍ରଥମେ ମୋହନ ଭାଗବତ ଶସ୍ତ୍ର ପୂଜା କରିଥିଲେ । ଏହା ସହିତ ସ୍ମୃତି ମନ୍ଦିରରେ, ମୋହନ ଭାଗବତ ଏବଂ ମୁଖ୍ୟ ଅତିଥି ସଞ୍ଜୟ ଗୁପ୍ତା, ସଂଘର ସଂସ୍ଥାପକ ଡ. କେଶବ ବଳିରାମ ହେଡଗେୱାରଙ୍କ ପ୍ରତିମୂର୍ତ୍ତି ଏବଂ ଶ୍ରୀ ଗୁରୁଜୀଙ୍କ ସ୍ମୃତିସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।
ପଞ୍ଚ ପରିବର୍ତ୍ତନ, ଯୁବ ପୀଢ଼ି, ଓଟିଟି ପ୍ଲାଟଫର୍ମ, ନିଶା ସେବନ ଆଦିକୁ ନେଇ ମୋହନ ଭାଗବତ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ 'ପଞ୍ଚ ପରିବର୍ତ୍ତନ' ଅନ୍ତର୍ଗତ ପାଞ୍ଚଟି ପଦକ୍ଷେପ, ଯଥା ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପରିବେଶ ସଚେତନତା, ଆତ୍ମ-ଜାଗରଣ ଓ ସ୍ୱଦେଶୀ ଭାବନା ଏବଂ ନାଗରିକ ଶୃଙ୍ଖଳାକୁ ସମାଜର ସମସ୍ତ ବର୍ଗ ଓ ସ୍ତରରେ ସ୍ୱାଗତ କରାଯାଇଛି। ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏଗୁଡ଼ିକର ଆବଶ୍ୟକତାକୁ ଉପଲବ୍ଧି କରାଯାଇଛି । ଏହା କେବଳ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଜୀବନଶୈଳୀ ଅଟେ । ଏକ ଏପରି ଆଚରଣଗତ ଦୃଷ୍ଟିକୋଣ ଯାହା ବ୍ୟକ୍ତିଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ କରାଯାଇଛି।
ସେହିପରି ଆଜିକାଲିର ଯୁବପିଢ଼ି ବିଭିନ୍ନ ଉତ୍ସରୁ ସୂଚନା ଗ୍ରହଣ କରୁଛନ୍ତି, କିନ୍ତୁ କେଉଁଟି ଉଚିତ୍ ଏବଂ କେଉଁଟି ଅନୁଚିତ୍, ସେ ବିଷୟରେ ସେମାନେ ବିଚାର କରୁନାହାନ୍ତି। ଏହାର କୁପରିଣାମ ଭୋଗିବା ପରେ, ଅନେକ ଦେଶ କିଛି ନିୟମାବଳୀ ଓ କଟକଣା ଲାଗୁ କରିଛନ୍ତି। ବିଶେଷକରି ସେ ଓଟିଟି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସରକାର ଓ ପ୍ରଶାସନ ଏ ବିଷୟରେ ଉଚିତ୍ ବିଚାର କରିବା ଉଚିତ୍।
ବିବେକବୋଧର ଅଭାବ ଯୋଗୁଁ ନିଶାଦ୍ରବ୍ୟର ଅପବ୍ୟବହାର ଏକ ଗମ୍ଭୀର ଜାତୀୟ ସମସ୍ୟା ହୋଇଛି । ଏହାର ମୁକାବିଲା ପାଇଁ ସରକାର, ପ୍ରଶାସନ ଏବଂ ସମାଜକୁ ଯଥାସମୟରେ ପଦକ୍ଷେପ ନେବାକୁ ପଡ଼ିବ। ବର୍ତ୍ତମାନର ପିତାମାତା ଓ ଅଭିଭାବକମାନେ ଯୁବପିଢ଼ିଙ୍କ ମଧ୍ୟରେ ଏହି ବିବେକବୋଧ ଜାଗ୍ରତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।