ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ଦୁଇ ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ସ୍ପେଶାଲ ଏଗ୍ଜିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ (SEM) କୋର୍ଟରୁ ସମ୍ପୂର୍ଣ୍ଣ ନିରାଶା ହାତଲାଗିଛି। ଉଭୟ ନେତାଙ୍କ ଜାମିନ ଆବେଦନ ଏବଂ ଜାମିନଦାରଙ୍କୁ କୋର୍ଟ ଖାରଜ କରିଦେବା ସହ ନ୍ୟାୟିକ ହାଜତ ଅବଧିକୁ ଆଉ ୨ ଦିନ ପାଇଁ ବୃଦ୍ଧି କରିଛନ୍ତି। ନିୟମ ଭଙ୍ଗ ପ୍ରସଙ୍ଗରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ସୌରଭ ଓ ଆଶୁତୋଷ ଜାଣିଶୁଣି ଆଇନଗତ ବଣ୍ଡ୍ ଭାଙ୍ଗିଛନ୍ତି ଏବଂ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତିର ଅବମାନନା କରିଛନ୍ତି।
କୋର୍ଟଙ୍କ କଠୋର ଆଭିମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
ମାମଲାର ଶୁଣାଣି କରି ଦିଲ୍ଲୀ କୋର୍ଟ କହିଛନ୍ତି ଯେ, ଜନ୍ତର-ମନ୍ତର ନିଷିଦ୍ଧାଞ୍ଚଳରେ ବିରୋଧ ପ୍ରଦର୍ଶନ କରିବା ସମୟରେ ଦୁଇ ସିଜେପି ନେତା ଆଇନ ଶୃଙ୍ଖଳା ଏବଂ ସାଧାରଣ ଶାନ୍ତି ବ୍ୟାହତ କରିବାକୁ ଉଦ୍ୟମ କରିଥିଲେ। କୋର୍ଟଙ୍କ କହିବାନୁଯାୟୀ, ଶାନ୍ତି ରକ୍ଷା ପାଇଁ ପୂର୍ବରୁ ଦିଆଯାଇଥିବା ବଣ୍ଡକୁ ଉଭୟ ନେତା ସ୍ୱେଚ୍ଛାକୃତ ଭାବେ ଭାଙ୍ଗିଛନ୍ତି। ସେମାନେ ଆଗକୁ ପୁଣି ସମାନ ଅପରାଧ କିମ୍ବା ଆଇନ ଭଙ୍ଗ କରିବେ ନାହିଁ ବୋଲି ଯେଉଁ ଦାବି କରୁଛନ୍ତି, ତାହା ବିଶ୍ୱାସଯୋଗ୍ୟ ନୁହେଁ। ସାଧାରଣ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ସେମାନଙ୍କୁ ହାଜତରେ ରଖିବା ଆବଶ୍ୟକ।
ତିହାଡ଼ ଜେଲ୍ରେ ବିତିବ ଆଉ ଦୁଇ ଦିନ
ଗତ ୫ ଦିନ ହେବ ଦିଲ୍ଲୀର ତିହାଡ଼ ଜେଲ୍ରେ ବନ୍ଦୀ ଥିବା ଏହି ଦୁଇ ନେତାଙ୍କୁ ଆସନ୍ତା ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ରହିବାକୁ ପଡ଼ିବ। ଆସନ୍ତା ବୁଧବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର ହୋଇଛି। କୋର୍ଟ ସେମାନଙ୍କ ଜାମିନଦାରଙ୍କୁ ନାମଞ୍ଜୁର କରିବା ପରେ CJP ର ଲିଗାଲ୍ ଟିମ୍ ପାଇଁ ଆଇନଗତ ଅସୁବିଧା ଆହୁରି ବୃଦ୍ଧି ପାଇଛି।
Also read: କକରୋଚ୍ ଜନତା ପାର୍ଟିର ଦୁଇ ନେତାଙ୍କୁ ଝଟ୍କା: ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଜେଲ୍ ମିଆଦ ୨ ଦିନ ବୃଦ୍ଧି