ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ तथा ଆୱାମୀ ଲିଗ୍ ସୁପ୍ରିମୋ ଶେଖ୍ ହସିନା ପୁଣି ଥରେ ନିଜ ଦେଶକୁ ଫେରିବା ନେଇ ବଡ଼ ବୟାନ୍ ଦେଇଛନ୍ତି। ଗିରଫଦାରୀ, ନିର୍ଯାତନା କିମ୍ବା ମୃତ୍ୟୁର ଭୟକୁ ଏଡ଼ାଇ ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି। ୱାଶିଂଟନ୍ ଡିସିରେ ଆୟୋଜିତ 'ସେଣ୍ଟର ଫର୍ ୟୁଏସ୍-ବାଂଲାଦେଶ ରିଲେସନ୍ସ' କାର୍ଯ୍ୟକ୍ରମରେ ଆଭାସୀ (Virtual) ଜରିଆରେ ଯୋଗଦେଇ ସେ ଏହି ନିଷ୍ପତ୍ତି ପ୍ରକାଶ କରିଛନ୍ତି।
‘ଗିରଫ ଓ ମୃତ୍ୟୁକୁ ଭୟ ନାହିଁ’
୭୯ ବର୍ଷୀୟା ଶେଖ୍ ହସିନା ନିଜ ବକ୍ତବ୍ୟରେ କହିଛନ୍ତି, 'ମୁଁ ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବି। ମୋତେ ଜଣାଅଛି ଯେ ସେମାନେ ମୋତେ ହତ୍ୟା କରିପାରନ୍ତି, ଗିରଫ କିମ୍ବା ନିର୍ଯାତନା ଦେଇପାରନ୍ତି, କିନ୍ତୁ ଭୟ ମୋର କର୍ତ୍ତବ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ। ମୁଁ ପୂର୍ବରୁ ମଧ୍ୟ ଜେଲ୍ ଓ ନିର୍ଯାତନାର ସାମ୍ନା କରିସାରିଛି। ଦେଶକୁ ଫେରିବା ମୋର ନୈତିକ ଦାୟିତ୍ୱ।'
ସେ ଆହୁରି ମଧ୍ୟ ଭାବବିହ୍ୱଳ ହୋଇ କହିଛନ୍ତି ଯେ, ଯଦି ମୃତ୍ୟୁ ଆସିବାର ଅଛି, ତେବେ ତାହା ତାଙ୍କ ନିଜ ମାତୃଭୂମିର ମାଟିରେ ଆସୁ, ଯେଉଁଠାରେ ତାଙ୍କ ପିତାମାତାଙ୍କ ସମାଧି ରହିଛି ଏବଂ ତାଙ୍କ ପରିବାରର ରକ୍ତ ବୋହିଥିଲା।
ଫେରିବା ପଛର ମୁଖ୍ୟ ଉଦ୍ଦେଶ୍ୟ
୨୦୨୪ ଅଗଷ୍ଟ ୫ରେ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ଡିସେମ୍ବରରେ ତାଙ୍କର ଓ ଆୱାମୀ ଲିଗ୍ର ପ୍ରତ୍ୟାବର୍ତ୍ତନ କେବଳ କ୍ଷମତା ହାସଲ ପାଇଁ ନୁହେଁ, ବରଂ ବାଂଲାଦେଶରେ ବିକାଶ, ଧର୍ମନିରପେକ୍ଷତା ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ବୋଲି ସେ ଦାବି କରିଛନ୍ତି।