ନୂଆଦିଲ୍ଲୀ: ଦୁନିଆର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଏକ ପ୍ରସ୍ତାବକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜର ମହାକାଶ ଗବେଷଣା କମ୍ପାନୀ SpaceXର ଗୋଟିଏ ଲେଖାଏଁ ଶେୟାର ଦେବାକୁ ସେ ପ୍ରସ୍ତାବ ରଖିଛନ୍ତି। ଏହି ଯୋଜନା ବାସ୍ତବ ରୂପ ନେଲେ ଏହା ଆମେରିକାର ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଏକ ବଡ଼ ଆର୍ଥିକ ସୁଯୋଗ ହୋଇପାରେ।
କେତେ ଟଙ୍କାର ହେବ ଏହି ଉପହାର?
ରିପୋର୍ଟ ଅନୁସାରେ, ଆମେରିକାରେ ୧୮ ବର୍ଷରୁ କମ୍ ବୟସର ପ୍ରାୟ ୭.୨ କୋଟି ପିଲା ଅଛନ୍ତି। ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶେୟାର ଦେବାକୁ ହେଲେ ମୋଟ ୭.୨ କୋଟି ଶେୟାର ଆବଶ୍ୟକ ହେବ। ପ୍ରତି ଶେୟାରର ଆନୁମାନିକ ମୂଲ୍ୟ ୧୪୬ ଡଲାର ଧରିଲେ, ଏହାର ମୋଟ ମୂଲ୍ୟ ପ୍ରାୟ ୧୦.୫ ବିଲିୟନ ଡଲାର ହେବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୯୯ ହଜାର କୋଟି ଟଙ୍କାରୁ ଅଧିକ।
ତେବେ ଏହା ଏକ ଆନୁମାନିକ ହିସାବ। SpaceXର ଶେୟାରର ପ୍ରକୃତ ମୂଲ୍ୟ ଓ ଯୋଜନାର ନିୟମ ଅନୁଯାୟୀ ଏହି ରାଶି ବଦଳିପାରେ।
କେମିତି ମିଳିବ ପିଲାଙ୍କୁ ଶେୟାର?
ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏହି ପ୍ରସ୍ତାବ ସମ୍ପର୍କରେ ପୋଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆମେରିକାର ପ୍ରତ୍ୟେକ ପିଲାଙ୍କୁ SpaceXର ଗୋଟିଏ ଲେଖାଏଁ ଶେୟାର ଦେବା କଥା ସେ କହିଛନ୍ତି। ହେଲେ ଶେୟାର କିପରି ବଣ୍ଟନ ହେବ, ପିଲାଙ୍କ ନାଁରେ ସିଧାସଳଖ ଦିଆଯିବ ନା କୌଣସି ନିବେଶ ଖାତାରେ ରଖାଯିବ, ସେନେଇ ବିସ୍ତୃତ ସୂଚନା ମିଳିନାହିଁ।
Trump Accounts ସହ ରହିଛି କି ସମ୍ପର୍କ?
ଏହି ପ୍ରସ୍ତାବକୁ ଆମେରିକାର Trump Accounts ଯୋଜନା ସହ ଯୋଡ଼ି ଦେଖାଯାଉଛି। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ଯୋଗ୍ୟତା ପୂରଣ କରୁଥିବା ପିଲାଙ୍କ ପାଇଁ ୧,୦୦୦ ଡଲାରର ପ୍ରାରମ୍ଭିକ ସରକାରୀ ଅନୁଦାନ ବ୍ୟବସ୍ଥା ରହିଛି। ତେବେ ମସ୍କଙ୍କ ପ୍ରସ୍ତାବ ଏହି ଯୋଜନାର ଅଂଶ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମସ୍କଙ୍କ ଏହି ପ୍ରସ୍ତାବ କେବଳ ଘୋଷଣାରେ ସୀମିତ ରହିବ ନା ଲକ୍ଷ ଲକ୍ଷ ଆମେରିକୀୟ ପିଲା ପ୍ରକୃତରେ SpaceXର ଶେୟାର ପାଇବେ?