ମଣିପୁରରେ ନାଗା-କୁକି ଉତ୍ତେଜନା କମିବାର ନାଁ ନେଉନାହିଁ। କାମଜୋଙ୍ଗ ଜିଲ୍ଲାରେ ଗତ ୩୬ ଘଣ୍ଟା ମଧ୍ୟରେ ୨୮ଟି ଘରେ ନିଆଁ ଲଗାଇ ଦିଆଯାଇଛି। ହିଂସା ପରେ ଅନେକ ପରିବାର ଜଙ୍ଗଲ ଏବଂ ନିକଟସ୍ଥ ସାମରିକ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
ମଣିପୁରରେ ଜାତିଗତ ହିଂସା ଥମିବାର ନାଁ ନେଉନାହିଁ। କାମଜୋଙ୍ଗ ଜିଲ୍ଲାରେ ଗତ ୩୬ ଘଣ୍ଟା ମଧ୍ୟରେ ୨୮ଟି ଘରେ ନିଆଁ ଲଗାଇ ଦିଆଯାଇଛି, ଯେଉଁଥିରେ ନାଗା ଏବଂ କୁକି ସମ୍ପ୍ରଦାୟର ବସ୍ତିଗୁଡ଼ିକ ସାମିଲ ରହିଛି। ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଆକ୍ରମଣ କାରଣରୁ ଲୋକମାନେ ନିଜଘର ଛାଡ଼ି ଜଙ୍ଗଲ ଏବଂ ସାମରିକ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ମଣିପୁରର ଉପମୁଖ୍ୟମନ୍ତ୍ରୀ ଏହି ଘଟଣାର ନିନ୍ଦା କରିବା ସହିତ ସେହି ଅଞ୍ଚଳରେ ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ଶନିବାର ରାତିରେ କାମଜୋଙ୍ଗ ଜିଲ୍ଲାର ଚାସାଦ ଗ୍ରାମରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ ଏବଂ କୁକି ସମ୍ପ୍ରଦାୟର ଅତିକମ ୧୫ଟି ଘରେ ନିଆଁ ଲଗାଇ ଦେଇଥିଲେ। ଏହାପୂର୍ବରୁ ଦିନରେ ମଧ୍ୟ ଗ୍ରାମରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଏହି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଚାରିଜଣ ଗୁଳିମାଡ଼ରେ ଆହତ ହୋଇଥିଲେ। ସେହିପରି, ଉଖରୁଲ ଜିଲ୍ଲାରେ ଏକ କାର୍ ଉପରେ ହୋଇଥିବା ଗୁଳିମାଡ଼ରେ ଦୁଇଜଣ ଆହତ ହୋଇଛନ୍ତି।
ନାଗା ସମ୍ପ୍ରଦାୟର ୧୩ଟି ଖାଲି ଘରେ ଲଗାଇଲେ ନିଆଁ
ପୁଲିସରୂ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଉଗ୍ରବାଦୀମାନେ ନାଗା ଏବଂ କୁକି ଉଭୟ ସମ୍ପ୍ରଦାୟର ବସ୍ତିକୁ ଟାର୍ଗେଟ କରିଥିଲେ। ମ୍ୟାଁମାର ସହିତ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ପିଲୋଙ୍ଗ ଏବଂ ସ୍କିପ୍ ଗ୍ରାମରେ ରବିବାର ଦିନ ଅଜ୍ଞାତ ଉପଦ୍ରବକାରୀମାନେ ନାଗା ସମ୍ପ୍ରଦାୟର ଲୋକଙ୍କ ଅତିକମ୍ରେ ୧୩ଟି ଖାଲି ଘରେ ନିଆଁ ଲଗାଇ ଦେଇଥିଲେ। ମ୍ୟାଁମାର ସହିତ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ପିଲୋଙ୍ଗ ସମେତ ନାଗା ଗ୍ରାମଗୁଡ଼ିକ ଉପରେ ହୋଇଥିବା ପୂର୍ବ ଆକ୍ରମଣ ପରେ, ଏହି ଘରଗୁଡ଼ିକୁ ଖାଲି କରିଦିଆଯାଇଥିଲା।
ଫେବୃଆରୀରୁ ଜାତିଗତ ସଂଘର୍ଷରେ ୫୦ରୁ ଅଧିକ ମୃତ୍ୟୁ
ସେହିପରି, ରବିବାର ସକାଳେ ଏକ ଅଲଗା ଘଟଣାରେ, ଉଖରୁଲ ଜିଲ୍ଲାର ଲିଟନ୍ ଥାନା ଅଞ୍ଚଳରେ ଏନ୍.ଏଚ୍.-୨୦୨ (NH-202) ଉପରେ ଗ୍ୱାଲତାବୀ ଏବଂ ମହାଦେବା ମଧ୍ୟରେ ଯାଉଥିବା ଏକ କାର୍ ଉପରେ ଅଜ୍ଞାତ ହତିଆରବନ୍ଦ ବଦମାସମାନେ ଗୁଳିଚାଳନା କରିଥିଲେ, ଯେଉଁଥିରେ ଦୁଇଜଣ ଲୋକ ଆହତ ହୋଇଥିଲେ। ଫେବୃଆରୀ ମାସଠାରୁ ତାମେଙ୍ଗଲୋଙ୍ଗ, କାମଜୋଙ୍ଗ, ଉଖରୁଲ, କାଙ୍ଗପୋକପି ଏବଂ ନୋନି ଜିଲ୍ଲାରେ ଘଟିଥିବା ଜାତିଗତ ସଂଘର୍ଷରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଘର ପୋଡ଼ି ଦିଆଯାଇଛି।
କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ନେମଚା କିପ୍ଗେନ୍ ଚାସାଦରେ ହୋଇଥିବା ହିଂସାର କଡ଼ା ନିନ୍ଦା କରିଛନ୍ତି। ସେ କୁକି ସମ୍ପ୍ରଦାୟର ଲୋକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତ ଗ୍ରାମୀଣ ନେତା ତଥା ବିସ୍ଥାପିତ ପରିବାରଗୁଡ଼ିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଘରଗୁଡ଼ିକରେ ନିଆଁ ଲଗାଯିବାକୁ ଏଭଳି ଏକ ଅପରାଧ ବୋଲି କହିଛନ୍ତି, ଯାହାକୁ କୌଣସି ପରିସ୍ଥିତିରେ ମଧ୍ୟ ବରଦାଷ୍ଟ କରାଯାଇପାରିବ ନାହିଁ।
କିପଗେନ୍ କହିଛନ୍ତି ଯେ ସେ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ ଏବଂ ସୁରକ୍ଷା ବାହିନୀକୁ ୨୪ ଘଣ୍ଟା ସତର୍କ ରହିବାକୁ, ସାଧାରଣ ନାଗରିକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷା କରିବାକୁ ଏବଂ ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଆଇନର କାଠଗଡ଼ାକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ ଏକ ବିବୃତିରେ କହିଛି ଯେ ଏହି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଭାବିତ ଅଞ୍ଚଳରେ ଆସାମ ରାଇଫଲ୍ସ, ସୀମା ସୁରକ୍ଷା ବଳ (BSF) ଏବଂ କାମଜୋଙ୍ଗ ପୁଲିସର ଏକ ମିଳିତ ଟିମ୍ ମୁତୟନ କରାଯାଇଛି।