ନୂଆଦିଲ୍ଲୀ: ଦୀପାବଳି ପର୍ଯ୍ୟନ୍ତ ହେବନି କୌଣସି ପ୍ରତିବାଦ କି ଆନ୍ଦୋଳନ। ସମର୍ଥକଙ୍କୁ ଏଭଳି ଅପିଲ୍ କରିଛନ୍ତି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ। ୧୬ ମିନିଟ୍ରୁ ଅଧିକ ସମୟର ଏକ ଭିଡିଓ ବାର୍ତ୍ତାରେ ସେ ସମର୍ଥକମାନଙ୍କୁ ପାର୍ବଣ ସମୟରେ ପରିବାର ସହ ସମୟ ବିତାଇବାକୁ ଅନୁରୋଧ କରିଛନ୍ତି।
ଅଭିଜିତ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଘଟିଥିବା ଘଟଣାକୁ ନେଇ ସମର୍ଥକଙ୍କ ପରିବାର ଲୋକେ ଚିନ୍ତିତ ଥିବେ। ତେଣୁ କିଛି ଦିନ ପାଇଁ ଆନ୍ଦୋଳନରୁ ଦୂରେଇ ରହି ନିଜ ପରିବାର ଓ ପ୍ରିୟଜନଙ୍କ ସହ ସମୟ କାଟିବା ଆବଶ୍ୟକ।
ଜେଲ୍ରେ ଥିବା ସୌରଭ ଓ ଆଶୁତୋଷଙ୍କ କଥା ଉଠାଇଲେ
ଭିଡିଓରେ ଜେଲ୍ରେ ଥିବା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ବିଷୟରେ ମଧ୍ୟ କହିଛନ୍ତି ଅଭିଜିତ। ତାଙ୍କ କହିବା ଅନୁସାରେ, ଉଭୟଙ୍କ ନ୍ୟାୟିକ ହାଜତ ଅବଧି କୋର୍ଟ ଆଉ ଦୁଇ ଦିନ ବଢ଼ାଇଛନ୍ତି। ସୌରଭଙ୍କ ମାଆଙ୍କ ସହ କଥା ହୋଇଥିବା ମଧ୍ୟ ସେ କହିଛନ୍ତି। ଅନ୍ୟପଟେ, ଜେଲ୍ରେ ଥିବା ସମୟରେ ଆଶୁତୋଷ ରାଙ୍କା ତାଙ୍କ ଅଙ୍କଲଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିବା କଥା ମଧ୍ୟ ଭିଡିଓରେ ଉଠାଇଛନ୍ତି ଅଭିଜିତ।
‘ଘୃଣାର ଜବାବ ଘୃଣାରେ ଦେବୁ ନାହିଁ’
ଅଭିଜିତ କହିଛନ୍ତି, ସେମାନେ ଘୃଣା ବିରୋଧରେ ଲଢ଼ୁଛନ୍ତି ଏବଂ ଘୃଣାର ଜବାବ ଘୃଣାରେ ଦେବେ ନାହିଁ। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ମାର୍ଗରେ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ଟ୍ରୋଲ୍ କରୁଥିବା ଲୋକଙ୍କୁ ଜବାବ ଦେଇ ସେ କହିଛନ୍ତି, “ଆମର ଇମୋସନ୍ ଆମର ଦୁର୍ବଳତା ନୁହେଁ, ଏହା ଆମର ଶକ୍ତି। ଆମେ ଡରିବୁ ନାହିଁ।” ପାର୍ବଣ ପାଳନ ସହ ଜେଲ୍ରେ ଥିବା ଦୁଇ ସମର୍ଥକଙ୍କୁ ମନେ ରଖିବାକୁ ମଧ୍ୟ ଅଭିଜିତ ଅପିଲ୍ କରିଛନ୍ତି।