ଯାଜପୁର: ମହାନବମୀରେ ମା’ ବିରଜାଙ୍କ ପୀଠରେ ଭକ୍ତଙ୍କ ଭିଡ଼। ମା’ଙ୍କ ଦର୍ଶନ କରିବା ଓ ଆଶୀର୍ବାଦ ପାଇବା ପାଇଁ ସୋମବାର ହଜାର ହଜାର ଶ୍ରଦ୍ଧାଳୁ ଯାଜପୁରର ବିରଜା ମନ୍ଦିରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ପୂଜାବିଧି ଓ ଧାର୍ମିକ ଆୟୋଜନକୁ ନେଇ ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଛି।
ସକାଳୁ ସ୍ୱତନ୍ତ୍ର ନୀତିକାନ୍ତି
ରବିବାର ରାତିରେ ଶୋଳ କଳସ ସ୍ଥାପନ, ହୋମଯଜ୍ଞ ଓ ସନ୍ଧିପୂଜା ସମ୍ପନ୍ନ ହୋଇଥିଲା। ସୋମବାର ସକାଳେ ବୈତରଣୀ ନଦୀରୁ ପବିତ୍ର ଜଳ ଅଣାଯାଇ ମା’ଙ୍କ ସ୍ନାନନୀତି କରାଯାଇଥିଲା। ନବରାତ୍ରି ସମୟରେ ଭକ୍ତମାନେ ଗର୍ଭଗୃହରେ ପ୍ରବେଶ କରି ମା’ଙ୍କ ନିକଟରୁ ଦର୍ଶନ କରିବା ସହ ଚରଣ ସ୍ପର୍ଶର ସୁଯୋଗ ପାଉଛନ୍ତି।
ରଥଯାତ୍ରା ପରେ ଲକ୍ଷବିନ୍ଧା ଉତ୍ସବ
ଆଜି ମା’ ବିରଜାଙ୍କ ନଅ ଦିନିଆ ରଥଯାତ୍ରାର ଅନ୍ତିମ ଦିନ। ଅପରାହ୍ଣରେ ରଥଯାତ୍ରା ପରେ ଲକ୍ଷବିନ୍ଧା ଉତ୍ସବ ଅନୁଷ୍ଠିତ ହେବ। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଓ ଭିଡ଼ ପରିଚାଳନା ବ୍ୟବସ୍ଥା କରାଯାଇଛି। ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସୁଥିବା ବେଳେ ମହାନବମୀକୁ ନେଇ ଯାଜପୁରରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଛି।