କଳାହାଣ୍ଡି : ସମ୍ପନ୍ନ ହୋଇଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତରଯାତ୍ରା। ଘଣ୍ଟ, ନିଶାନ, ତାସା ଓ ବୀରବାଦ୍ୟ ଘୁମୁରାର ଗର୍ଜନରେ ପ୍ରକମ୍ପିତ ହୋଇଉଠୁଥିଲା ଭବାନୀପାଟଣା ସହର। ମା ଙ୍କ ଦର୍ଶନ ପାଇଁ ରାଜରାସ୍ତାର ଉଭୟ ପାର୍ଶ୍ୱରେ ଜମିଥିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼। ତେବେ ଗୋଟିଏ ପଟେ ଭକ୍ତି ଓ ବିଶ୍ୱାସର ମହାପର୍ବ, ଅନ୍ୟପଟେ ପ୍ରଶାସନର କଟକଣା ସତ୍ତ୍ୱେ ପଶୁ ବଳିପ୍ରଥାକୁ ନେଇ ରକ୍ତରଞ୍ଜିତ ହୋଇଥିଲା ରାଜରାସ୍ତା।
ଆଜି ଭୋର ସକାଳ ୪.୫୦ ମିନିଟ ରେ ମା ଭବାନୀପାଟଣା ସହର ଉପକଣ୍ଠ ସ୍ତିତ ଜେନାଖାଲ ରୁ ବାହାରି ମନ୍ଦିର କୁ ଫେରିଥିଲେ ଦିର୍ଘ ୪ କିଲୋମିଟର ରାସ୍ତା ର ଉଭୟ ପାର୍ଶ୍ୱ ରେ ଶ୍ରଦ୍ଧାଳୁ ମାଁ ଙ୍କୁ ଧୂପ ଦୀପ ସହ ଭୋଗ ଲାଗି କରିଥିଲେ। ମାନସିକ ଧାରି ମାନସିକ ପୂରଣ ହେବାରୁ ବୋଦା କୁକୁଡ଼ା ବଳି ଦେଇଥିଲେ ଅନ୍ୟ ପଟେ ଶାନ୍ତି ର ପ୍ରତୀକ ପାରା ମଧ୍ଯ ଉଡ଼ାଇ ଥିଲେ। ଚାରିଆଡ଼େ ଭକ୍ତିର ପରିବେଶ, ଆକାଶରେ ଗୁଞ୍ଜରିତ ହେଉଥିଲା ଜୟ ମା’ ମାଣିକେଶ୍ୱରୀ ଧ୍ୱନି। ଘଣ୍ଟ, ନିଶାନ, ତାସା ସାଙ୍ଗକୁ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ତାଳେ ତାଳେ ଜେନାଖାଲରୁ ମନ୍ଦିର ଅଭିମୁଖେ ଫେରୁଥିଲେ ମା’। ମା’ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରି ରହିଥିଲେ ଅସଂଖ୍ୟ ଶ୍ରଦ୍ଧାଳୁ।
ଏହା କେବଳ ଏକ ଯାତ୍ରା ନୁହେଁ, ଏହା କଳାହାଣ୍ଡିର ଐତିହ୍ୟ, ପରମ୍ପରା ଓ ଜନମାନସର ଅତୁଟ ଆସ୍ଥାର ମହାପର୍ବ। ବର୍ଷସାରା ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା ଚାଲୁଥିବା ବେଳେ, ବର୍ଷକୁ ଥରେ ଛତରଯାତ୍ରାରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଖୋଲା ଆକାଶ ତଳେ ଦର୍ଶନ କରିବାର ସୁଯୋଗ ମିଳେ। ଏହି ଦିନଟିକୁ ଅପେକ୍ଷା କରି ରହିଥାନ୍ତି ଦୂରଦୂରାନ୍ତରୁ ଆସୁଥିବା ଭକ୍ତ।
ପରମ୍ପରା ଅନୁଯାୟୀ, ମହାଷ୍ଟମୀର ମଧ୍ୟରାତ୍ରିରେ ମା’ଙ୍କ ଛତରକୁ ଗର୍ଭଗୃହରୁ ବାହାରି ସହର ଉପକଣ୍ଠ ପଶ୍ଚିମ ଦିଗରେ ଥିବା ଫାଶୀଡଙ୍ଗରସ୍ଥିତ ଜେନାଖାଲକୁ ଯାଇଥାନ୍ତି ସେଠାରେ ଗୁପ୍ତ ରୀତିନୀତି ରେ ପୂଜାର୍ଚ୍ଚନା ପରେ ଭୋରରୁ ଆରମ୍ଭ ହୁଏ ମା’ଙ୍କ ମନ୍ଦିର ବାହୁଡ଼ା ଯାତ୍ରା।
ତେବେ ଏହି ଭକ୍ତିମୟ ପରିବେଶ ମଧ୍ୟରେ ବଳିପ୍ରଥାକୁ ନେଇ ପୁଣିଥରେ ସାମ୍ନାକୁ ଆସିଛି ଗମ୍ଭୀର ପ୍ରସଙ୍ଗ। ବଳିପ୍ରଥାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନର କଟକଣା ଓ ସଚେତନତା ସତ୍ତ୍ୱେ ଅନେକ ଭକ୍ତ ନିଜ ମାନସିକ ପୂରଣ ପାଇଁ ବୋଦା, ଛେଳି ଓ କୁକୁଡ଼ା ଆଦି ବଳି ଦେଇଥିଲେ। ଫଳରେ ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ରକ୍ତରଞ୍ଜିତ ଦୃଶ୍ୟ ଦେଖିବାକୁ ମିଳିଥିଲା। ।
ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଯାତ୍ରାର ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ ୨୫ଟି ସ୍ଥାନରେ ସିସିଟିଭି କ୍ୟାମେରା, ୯୫ ଜଣ ପୋଲିସ ଅଧିକାରୀ ଓ ଡ୍ରୋନ୍ ମାଧ୍ୟମରେ ସମଗ୍ର ଯାତ୍ରା ଉପରେ ନଜର ରଖାଯାଇଥିଲା। ଶୃଙ୍ଖଳିତ ଯାତ୍ରା ଓ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ନିଜ ପକ୍ଷରୁ ସମସ୍ତ ପ୍ରସ୍ତୁତି କରିଥିଲା।