ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭଦ୍ରକର ତିଶଳପୁର ଛକ ନିକଟରେ ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଆମ୍ବୁଲାନ୍ସଟି ଖଡ଼ଗପୁରରୁ ଜଣେ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଆସୁଥିଲା। ତିଶଳପୁର ଛକ ନିକଟରେ ଏକ ବୋଲେରୋକୁ ସାଇଡ୍ ମାରିବା ପରେ ଆମ୍ବୁଲାନ୍ସଟି ରାସ୍ତାର ଡିଭାଇଡରରେ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ
ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ମହିଳାଙ୍କ ଜୀବନ ଯାଇଛି। ଅନ୍ୟ ୩ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ପୋଲିସ, ଆରମ୍ଭ ହେଲା ତଦନ୍ତ
ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଜାରି ରହିଛି।