ନାଗପୁର: ଭାରତ ବିକାଶ ପଥରେ ଅଗ୍ରସର ହେଉଛି । ବିକାଶ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ, ବିଭିନ୍ନ ଆହ୍ୱାନ ରହିବା ସ୍ୱାଭାବିକ । ଏଭଳି ଆହ୍ୱାନରୁ ସ୍ୱାଭାବିକ ଭାବେ ପ୍ରତିବାଦ ସୃଷ୍ଟି ହୋଇଥାଏ, ଯାହା ଏକ ଗଣତନ୍ତ୍ରରେ ହୁଏ । କିନ୍ତୁ ଏହି ପ୍ରତିବାଦ ସମାଧାନ ଖୋଜିବା ଉଦ୍ଦେଶ୍ୟରେ ହେବା ଉଚିତ୍। ଯେକୌଣସି ପ୍ରତିବାଦର ଲକ୍ଷ୍ୟ ସର୍ବଦା ସମାଧାନ ଅନ୍ୱେଷଣ କରିବା ହେବା ଆବଶ୍ୟକ। ଆମର କୌଣସି କାର୍ଯ୍ୟ ଯେପରି ସମାଜ ମଧ୍ୟରେ ମତଭେଦ, ଶତ୍ରୁତା କିମ୍ବା ବିଭାଜନ ସୃଷ୍ଟି ନକରେ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ ।
ଆଜି ହେଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଉତ୍ସବ । ଏହା ସହିତ ଆଜି ବିଜୟାଦଶମୀ । ଏଥିପାଇଁ ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ଜାଗରଣର ମୁଖ୍ୟ ସମ୍ପାଦକ ସଞ୍ଜୟ ଗୁପ୍ତା, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରମୁଖ ଯୋଗ ଦେଇଛନ୍ତି ।
ମୁଖ୍ୟାଳୟ ପରିସରରେ ପ୍ରଥମେ ବିଜୟା ଦଶମୀ ଅବସରରେ ଶସ୍ତ୍ର ପୂଜା କରାଯାଇଥିଲା । ଏହା ପରେ ସ୍ମୃତି ମନ୍ଦିରରେ, ମୋହନ ଭାଗବତ ଏବଂ ମୁଖ୍ୟ ଅତିଥି ସଞ୍ଜୟ ଗୁପ୍ତା, ସଂଘର ସଂସ୍ଥାପକ ଡ. କେଶବ ବଳିରାମ ହେଡଗେୱାରଙ୍କ ପ୍ରତିମୂର୍ତ୍ତି ଏବଂ ଶ୍ରୀ ଗୁରୁଜୀଙ୍କ ସ୍ମୃତିସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।
ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୋହନ ଭାଗବତ ତାଙ୍କ ସମ୍ବୋଧନରେ ପଞ୍ଚ ପରିବର୍ତ୍ତନ, ବର୍ତ୍ତମାନ ହେଉଥିବା ଆନ୍ଦୋଳନ, ଓଟିଟି ପ୍ଲାଟଫର୍ମ, ନିଶା ସେବନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଅଭିଭାଷଣ ରଖିବା ସହିତ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ତାଙ୍କ ବିରତ୍ୱ ପାଇଁ ଧନ୍ୟବାଦ ଜଣାଇଛନ୍ତି । ମୋହନ ଭାଗବତ କହିଛନ୍ତି ଯେ 'ପଞ୍ଚ ପରିବର୍ତ୍ତନ' ଅନ୍ତର୍ଗତ ପାଞ୍ଚଟି ପଦକ୍ଷେପ, ଯଥା ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପରିବେଶ ସଚେତନତା, ଆତ୍ମ-ଜାଗରଣ ଓ ସ୍ୱଦେଶୀ ଭାବନା ଏବଂ ନାଗରିକ ଶୃଙ୍ଖଳାକୁ ସମାଜର ସମସ୍ତ ବର୍ଗ ଓ ସ୍ତରରେ ସ୍ୱାଗତ କରାଯାଇଛି। ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏଗୁଡ଼ିକର ଆବଶ୍ୟକତାକୁ ଉପଲବ୍ଧି କରାଯାଇଛି । ଏହା କେବଳ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଜୀବନଶୈଳୀ ଅଟେ । ଏକ ଏପରି ଆଚରଣଗତ ଦୃଷ୍ଟିକୋଣ ଯାହା ବ୍ୟକ୍ତିଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ କରାଯାଇଛି।
ସେହିପରି ଆଜିକାଲିର ଯୁବପିଢ଼ି ବିଭିନ୍ନ ଉତ୍ସରୁ ସୂଚନା ଗ୍ରହଣ କରୁଛନ୍ତି, କିନ୍ତୁ କେଉଁଟି ଉଚିତ୍ ଏବଂ କେଉଁଟି ଅନୁଚିତ୍, ସେ ବିଷୟରେ ସେମାନେ ବିଚାର କରୁନାହାନ୍ତି। ଏହାର କୁପରିଣାମ ଭୋଗିବା ପରେ, ଅନେକ ଦେଶ କିଛି ନିୟମାବଳୀ ଓ କଟକଣା ଲାଗୁ କରିଛନ୍ତି। ବିଶେଷକରି ସେ ଓଟିଟି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସରକାର ଓ ପ୍ରଶାସନ ଏ ବିଷୟରେ ଉଚିତ୍ ବିଚାର କରିବା ଉଚିତ୍।
ବିବେକବୋଧର ଅଭାବ ଯୋଗୁଁ ନିଶାଦ୍ରବ୍ୟର ଅପବ୍ୟବହାର ଏକ ଗମ୍ଭୀର ଜାତୀୟ ସମସ୍ୟା ହୋଇଛି । ଏହାର ମୁକାବିଲା ପାଇଁ ସରକାର, ପ୍ରଶାସନ ଏବଂ ସମାଜକୁ ଯଥାସମୟରେ ପଦକ୍ଷେପ ନେବାକୁ ପଡ଼ିବ। ବର୍ତ୍ତମାନର ପିତାମାତା ଓ ଅଭିଭାବକମାନେ ଯୁବପିଢ଼ିଙ୍କ ମଧ୍ୟରେ ଏହି ବିବେକବୋଧ ଜାଗ୍ରତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ବିଶ୍ୱବ୍ୟାପୀ ଯେଉଁ ଅସ୍ଥିରତା ଲାଗି ରହିଛି, ତାହା ଉପରେ ମୋହନ ଭାଗବତ ଗଭୀର ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଫ୍ରାନ୍ସ, ଆଲବାନିଆ, ବାଂଲାଦେଶ ଏବଂ ନେପାଳରେ ଘଟିଥିବା ଘଟଣାଗୁଡ଼ିକ ଏକ ସୁସଂଗଠିତ ଷଡ଼ଯନ୍ତ୍ରର ଅଂଶବିଶେଷ। ଆଜି ପ୍ରଗତିଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟ 'ଶାସନ ପରିବର୍ତ୍ତନ' ନାମରେ ସମଗ୍ର ବିଶ୍ୱରେ ଚାଲିଥିବା କାର୍ଯ୍ୟକଳାପ ଯୋଗୁଁ କଷ୍ଟ ଭୋଗୁଛନ୍ତି। ଆନ୍ଦୋଳନ ସବୁବେଳେ ସମାଧାନର ରାସ୍ତା ଖୋଜିବା ଉଚିତ ନା କି ଦେଶରେ ଅରାଜକତା ସୃଷ୍ଟି କରିବା ବୋଲି ଭାଗବତ କହିଛନ୍ତି ।