ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗ୍ରାମରେ ଏକ ଅଭାବନୀୟ ତଥା ରହସ୍ୟଜନକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କଣଲୋଇ ଗ୍ରାମର ଦିଲୀପ କୁମାର ସେଠୀ (୩୬)। ସେ ଜଣେ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରୁଥିଲେ।
ଗ୍ରାମରେ ପୂଜା ଓ ଅପେରା ଚାଲିଥିବା ବେଳେ ଘଟିଲା କାଣ୍ଡ
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ମା' ଦୁର୍ଗାଙ୍କ ପୂଜା, ଅସ୍ତ୍ରଶସ୍ତ୍ର ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ପୂଜା ଓ ଉତ୍ସବର ମାହୋଲ ମଧ୍ୟରେ ବିଳମ୍ବିତ ରାତିରେ ଦିଲୀପଙ୍କ ଘର ଅଗଣାରେ ଥିବା ଖଟ ଉପରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରରେ ଏକାଧିକ ସ୍ଥାନରେ ଗଭୀର କଟାଦାଗ ରହିଛି, ଯାହାକି ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରୁଛି।
ପରକୀୟା ପ୍ରୀତିକୁ ନେଇ ସନ୍ଦେହ
ଘଟଣାସ୍ଥଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଏକ ପୂର୍ବ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି କାରଣ ଥାଇପାରେ ବୋଲି ପୁଲିସ ଓ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
ପୁଲିସ ତଦନ୍ତ ଜାରି
ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଗଡ଼ିଆ ଥାନା ପୁଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ଛାନଭିନ ଚଳାଇଥିବା ବେଳେ ହତ୍ୟାକାରୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ବୋଲି ଆଶା କରାଯାଉଛି।