ପୁରୀ: ଆଜି ପବିତ୍ର ବିଜୟାଦଶମୀ। ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଏହି ମହାପର୍ବକୁ ନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଏହି ପବିତ୍ର ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ପୁରୀରେ ଭକ୍ତଙ୍କ ସମାଗମ ହୋଇଛି।
ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଚନ୍ଦନ ଲାଗି, ନୂଆଲୁଗା ଓ ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯିବ। ଏହାପରେ ଅନୁଷ୍ଠିତ ହେବ ସୁନାବେଶ ନୀତି। ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେବେ।
ବିଜୟାଦଶମୀ ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି। ସକାଳ ଧୂପ ପରେ ଆୟୁଧଗୁଡ଼ିକର ମହାସ୍ନାନ ଓ ବରୁଣ ପୂଜା କରାଯିବ। ଏହାପରେ ମେକାପ ସେବାୟତ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ବଡ଼ଦେଉଳକୁ ତିନିଥର ପରିକ୍ରମା କରିବେ। ପରେ ପୁଷ୍ପାଳକ ସେବାୟତ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ।
ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ଏହି ଅବସରରେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।
ଅନ୍ୟପଟେ ମା’ ବିମଳାଙ୍କ ପ୍ରତିନିଧି ମା’ କାକୁଡ଼ିଖାଇଙ୍କ ବିସର୍ଜନ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ଅନ୍ୟ ଗୋଷାଣୀ ଦେବୀମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ପରେ ଭସାଣି ଉତ୍ସବ ହେବ।
ଏପଟେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ମଧ୍ୟ ଦଶମୀ ପୂଜା ଚାଲିଛି। ବେଦମନ୍ତ୍ର, ଶଙ୍ଖନାଦ ଓ ଘଣ୍ଟଧ୍ୱନିରେ ଗୁଞ୍ଜରିତ ହେଉଛି ପରିବେଶ। ପୁରାଣ ଅନୁସାରେ, ଆଜିର ଦିନରେ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିବା ବେଳେ ପ୍ରଭୁ ଶ୍ରୀରାମ ରାବଣକୁ ପରାସ୍ତ କରିଥିଲେ। ତେଣୁ ବିଜୟାଦଶମୀ କେବଳ ଏକ ପର୍ବ ନୁହେଁ, ବରଂ ଅନ୍ୟାୟ ଓ ଅଧର୍ମ ଉପରେ ନ୍ୟାୟ ଓ ଧର୍ମର ବିଜୟର ବାର୍ତ୍ତା ବହନ କରେ।