ନୂଆଦିଲ୍ଲୀ: ଦେଶରେ ସତ୍ତା ପରିବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ବିରୋଧୀ ଦଳ ଓ କିଛି ଗୋଷ୍ଠୀଙ୍କୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବଡ଼ ବୟାନ ଦେଇଛନ୍ତି। ପଡ଼ୋଶୀ ବାଂଲାଦେଶରେ ଘଟିଥିବା ସତ୍ତା ପରିବର୍ତ୍ତନ ଓ ଫ୍ରାନ୍ସର ହିଂସାତ୍ମକ ପରିସ୍ଥିତିକୁ ଉଦାହରଣ ଦେଇ ସେ କହିଛନ୍ତି ଯେ, ଭାରତରେ ମଧ୍ୟ ସେହିପରି ହିଂସାତ୍ମକ ଅସ୍ଥିରତା ସୃଷ୍ଟି କରିବାକୁ ଚକ୍ରାନ୍ତ ହୋଇଥିଲା। ହେଲେ ଏହି ଚକ୍ରାନ୍ତକାରୀମାନେ ଭୁଲିଯାଇଛନ୍ତି ଯେ ଭାରତ, ବାଂଲାଦେଶ କିମ୍ବା ଫ୍ରାନ୍ସ ନୁହେଁ।
ରବିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' (ଟ୍ୱିଟର)ରେ ଏକ ଭିଡିଓ ଶେୟାର କରି ରିଜିଜୁ କହିଛନ୍ତି, "ଭାରତ ବିରୋଧୀ ଗୋଷ୍ଠୀ ଏବଂ କିଛି ରାଜନେତା ମିଶି ଯୁବବର୍ଗଙ୍କୁ ଭୁଲ୍ ବାଟରେ ପରିଚାଳିତ କରି ରାଜପଥରେ ହିଂସା ରଚନା କରିବାକୁ ଯୋଜନା କରିଥିଲେ। କିନ୍ତୁ ଭାରତର ଶକ୍ତି ଆଗରେ ସେମାନଙ୍କର ଏହି ବିପଜ୍ଜନକ ଚକ୍ରାନ୍ତ ଫେଲ୍ ମାରିଛି।
ଜର୍ଜ ସୋରୋସ ଓ ବିରୋଧୀଙ୍କୁ ଟାର୍ଗେଟ
ନିଜ ପୋଷ୍ଟରେ ବିଦେଶୀ ପୁଞ୍ଜିପତି ଜର୍ଜ ସୋରୋସଙ୍କୁ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତରେ ଗଣତାନ୍ତ୍ରିକ ଉପାୟରେ ସତ୍ତା ପରିବର୍ତ୍ତନ ନିଶ୍ଚିତ ଭାବେ ହୋଇପାରିବ, କିନ୍ତୁ ତାହା କେବଳ ଦେଶର ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସମ୍ଭବ; କୌଣସି ସୋରୋସଙ୍କ ବଳରେ ନୁହେଁ।
ଭିଡିଓରେ ବିରୋଧୀ ନେତାଙ୍କ ବୟାନ ପ୍ରକାଶ
ରିଜିଜୁ ଶେୟାର କରିଥିବା ଭିଡିଓରେ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାର ହିଂସାତ୍ମକ ଦୃଶ୍ୟ ସହ କିଛି ନେତା ଓ ଆକ୍ଟିଭିଷ୍ଟଙ୍କ ବୟାନ ସ୍ଥାନ ପାଇଛି। ଏଥିରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, AISA ନେତ୍ରୀ ନେହା ବୋରା ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନର କ୍ଲିପ୍ ରହିଛି। କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଭାରତକୁ ବାଂଲାଦେଶ ସଦୃଶ ଅସ୍ଥିର କରିବାକୁ ସ୍ୱପ୍ନ ଦେଖୁଛନ୍ତି, ଯାହା କେବେ ବି ସଫଳ ହେବନାହିଁ।