ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ଏକ ସ୍ପଷ୍ଟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ବିରୋଧୀ ଦଳ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରସ୍ତାବ ଆଣିବା ପାଇଁ ନୋଟିସ୍ ପ୍ରଦାନ କରନ୍ତି, ତେବେ ସମ୍ବିଧାନରେ ନିର୍ଦ୍ଧାରିତ ନିୟମ ଓ ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବାଚସ୍ପତି ଓମ୍ ବିର୍ଲା ସ୍ପଷ୍ଟ କରିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କୁ ପଦରୁ ହଟାଇବା ପାଇଁ ଯେଉଁଭଳି ନିର୍ଦ୍ଧାରିତ ସାଂବିଧାନିକ ପ୍ରକ୍ରିୟା ରହିଛି, ନିର୍ବାଚନ କମିଶନରଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହୋଇଥାଏ। ସେ କହିଛନ୍ତି, "ସଂସଦରେ ଯେତେବେଳେ ପ୍ରସ୍ତାବ ଆଗତ ହେବ, ସେତେବେଳେ ନିୟମାନୁଯାୟୀ ପଦକ୍ଷେପ ନିଆଯିବ। ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ଓ ଦଳର ନିଜର ମତ ଏବଂ ବିଚାର ରଖିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।"
ଅପରପକ୍ଷରେ, ସଂସଦର ଅଧିବେଶନ ସମାପ୍ତି ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବାଚସ୍ପତି କହିଛନ୍ତି ଯେ, ଏଥିପାଇଁ ମଧ୍ୟ ସମ୍ବିଧାନରେ ସ୍ପଷ୍ଟ ପ୍ରକ୍ରିୟା ନିର୍ଦ୍ଧାରିତ ରହିଛି ଏବଂ ଏଥିରେ ଲୋକସଭା ବାଚସ୍ପତିଙ୍କର କୌଣସି ପ୍ରତ୍ୟକ୍ଷ ଭୂମିକା ନଥାଏ। ସରକାରଙ୍କ ସଂସଦୀୟ କାର୍ଯ୍ୟ ସମିତି ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ ପଠାଇଥାନ୍ତି ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହା ସମ୍ପାଦିତ ହୋଇଥାଏ। ସମ୍ବିଧାନର ଅନୁଚ୍ଛେଦ ୮୫ ଅନୁଯାୟୀ ଏହା ପରିଚାଳିତ ହେଉଥିବାରୁ ଏହା ଉପରେ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ଏହା ବ୍ୟତୀତ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସହ ଜଡ଼ିତ ସମ୍ବେଦନଶୀଳ ମାମଲା ବିଷୟରେ ବାଚସ୍ପତି ସୂଚନା ଦେଇଛନ୍ତି ଯେ, ସମ୍ପୃକ୍ତ ବିଷୟରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇସାରିଛି। ଏହି ରିପୋର୍ଟ ଉପରେ ଶୀଘ୍ର ଆଲୋଚନା ଓ ସମୀକ୍ଷା କରାଯାଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ।