ବେଙ୍ଗାଲୁରୁ: ଦୀର୍ଘଦିନର ରାଗ ଓ ଅଭିମାନ ପରେ ଶେଷରେ କର୍ଣ୍ଣାଟକ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମାନଭଞ୍ଜନ କରିବାରେ ସଫଳ ହୋଇଛି କଂଗ୍ରେସ । ଶେଷରେ ଗୁରୁବାର ନିଜ ପଦରୁ ଇସ୍ତଫା ଦେବାକୁ ଭାବୁକ ହୋଇ ଘୋଷଣା କରିଛନ୍ତି ସିଦ୍ଧରମୈୟା ।
ଆଜି ସକାଳୁ ସକାଳୁ ବେଙ୍ଗାଲୁରୁରେ ବଡ଼ ହଲଚଲ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ସମସ୍ତ ନେତୃବୃନ୍ଦଙ୍କୁ ନିଜ ବାସଭବନକୁ ଡାକିଥିଲେ । ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ସିଦ୍ଧରମୈୟା ପାଦ ଛୁଇଁ ଆଶୀର୍ବାଦ ନେବା ସହିତ ଆଲିଙ୍ଗନ କରିଥିଲେ । ସିଦ୍ଦରମୈୟା ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହିତ ଏକ ଜଳଖିଆ ବୈଠକ କରିଥିଲେ । ବୈଠକ ସକାଳ ୯:୦୦ ରେ ଆରମ୍ଭ ହେବାର ଥିଲା, କିନ୍ତୁ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜେ ତାଙ୍କ ବାସଭବନରେ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ।
ଜଳଖିଆ ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପଦ ଛାଡିବାକୁ ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି । ସିଦ୍ଦରମୈୟା ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ ରାଜ୍ୟର ଆର୍ଥିକ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସହଯୋଗୀମାନଙ୍କୁ ଗତ ତିନି ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ସରକାରଙ୍କ ସଫଳତା, କଂଗ୍ରେସ ଦଳର ନିର୍ବାଚନୀ ଗ୍ୟାରେଣ୍ଟି ପୂରଣ କରିବା ପାଇଁ ଯୋଜନା କିପରି କାର୍ଯ୍ୟକାରୀ କରାଯାଇଥିଲା ଏବଂ ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକୁ କିପରି ସଫଳତାର ସହ ଦୂର କରାଯାଇଥିଲା ସେ ବିଷୟରେ ଅବଗତ କରାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସିଦ୍ଧରମୈୟା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଡି.କେ. ଶିବକୁମାରଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ଡି.କେ. ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ସିଦ୍ଦରମୈୟା ଅପରାହ୍ନ 3ଟାରେ ଲୋକଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟପାଳ ବର୍ତ୍ତମାନ ରାଜ୍ୟ ବାହାରେ ଥିବାରୁ ସିଦ୍ଦରମୈୟା ବିକଳ୍ପ ବ୍ୟବସ୍ଥା ବାଛିଛନ୍ତି । ସିଦ୍ଧରମୈୟା ତାଙ୍କର ଇସ୍ତଫାପତ୍ର ରାଜଭବନ ସଚିବାଳୟରେ ଇସ୍ତଫାପତ୍ର ଦାଖଲ କରିବେ।