ନୂଆଦିଲ୍ଲୀ: ତାମିଲନାଡ଼ୁର ନୂତନ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ବୁଧବାର ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡ଼ୁର ବିକାଶ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଜୟ ଦିଲ୍ଲୀରେ ପହଁଚିବାରେ ଅପରାହ୍ନ ସାଢ଼େ ଚାରିଟା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସେବା ତୀର୍ଥରେ ସାକ୍ଷାତ କରିଛନ୍ତି । ପ୍ରାୟ ପଚିଶ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁ ରାଜ୍ୟ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ତେବେ କଣ କଣ ବାର୍ତ୍ତାଳାପ ହୋଇଛି ତାହା ସ୍ପଷ୍ଟ ଭାବେ ସାମ୍ନାକୁ ଆସିନାହିଁ । ୧୨ ବର୍ଷ ପରେ ତାମିଲନାଡ଼ୁର କୌଣସି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ମୁତାବକ, ବିଜୟ ଆହୁରି ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ମଧ୍ୟ ଆଜି ଭେଟିବେ ।
ବିଜୟ ଦୁଇ ବର୍ଷ ତଳେ ନିଜର ସ୍ୱତନ୍ତ୍ର ଟିଭିକେ ଦଳ ଗଠନ କରିଥିଲେ । ପ୍ରଥମ ଥର ପାଇଁ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରି ସରକାର ଗଢ଼ିଛନ୍ତି । ତାମିଲନାଡୁରେ ପ୍ରଥମଥର ପାଇଁ ମେଣ୍ଟ ସରକାର ହୋଇଛି । ବିଜୟ ମୁଖ୍ୟମନ୍ତ୍ରୀ ପଦ ସମ୍ବାଳିବା ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।