ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଖାଦ୍ୟ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ପ୍ରାୟ ୬୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳେ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୯୦ ଜଣ ଛାତ୍ରଛାତ୍ରୀଥିବାବେଳେ ଆଜି ୨୨୦ ଜଣ ଉପସ୍ଥିତ ଥିଲେ । ପ୍ରାୟ ୨୦୦ ଜଣ ସକାଳ ସମୟରେ ପିଲାଙ୍କୁ ପଖାଳ ଏବଂ ଆଳୁ ଭର୍ତ୍ତା ଖାଇଥିଲେ । ଆଜି ଖାଦ୍ୟ ତାଲିକାରେ ସୁଜି ଉପମା ଥିବାବେଳେ ଗରମ ଭାତରେ ପାଣି ପୁରାଇ ସଜ ପଖାଳ ଖାଇବାକୁ ଦିଆଯାଇଥିଲା । ଏହା ପରେ ଧିରେ ଧିରେ କିଛି ପିଲା ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ଜଣଙ୍କ ପର ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି । ଏଥିରେ ଛୋଟ ପିଲା ଥିବା ମଧ୍ୟ ଜଣାପଡ଼ିଛି । ସମସ୍ତଙ୍କର ପେଟରେ ଯନ୍ତ୍ରଣା ହେଉଥିବାବେଳେ କାହାକୁ ଜ୍ୱର ମଧ୍ୟ ହୋଇଛି ।
ସମସ୍ତ ଛାତ୍ରଛାତ୍ରୀମାନେ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଥାଇପାରେ ବୋଲି କହିଛନ୍ତି ଡାକ୍ତର ଏସ ମଣ୍ଡଳ ।