ଭୁବନେଶ୍ୱର: ରତ୍ନଭଣ୍ଡାରରୁ କୌଣସି ଜିନିଷ ମିଳିନାହିଁ । ସେହିପରି ୧୯୭୮ ମସିହା ସହିତ ରତ୍ନଅଳଙ୍କାର ଅମେଳକ ହେବା ନେଇ କୌଣସି ଆନୁଷ୍ଠାନିକ ସୂଚନା ଆସିନାହିଁ । ତେଣୁ ଯାହା ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଗତ ଚାରି ଦିନ ଧରି ଶ୍ରୀମନ୍ଦିରରେ ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ ହୋଇଛି । ଆସନ୍ତାକାଲିଠାରୁ ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ ହେବ । ଏହାକୁ ଅତି ସତର୍କତା, ସ୍ୱଚ୍ଛତା ଏବଂ ନିଷ୍ଠାର ସହିତ କରାଯିବ ସେଥିପ୍ରତି ସରକାର ଗୁରୁତର ସହ ନେଇଛନ୍ତି । ଜିଲ୍ଲାପାଳଙ୍କ ଟ୍ରେଜେରୀରୁ ଭିତର ରତ୍ନ ଭଣ୍ଡାର ଚାବି ଅଣାଯିବ ଗଣତି କରାଯାଇ ପୁଣି ଥରେ ଚାବି ଟ୍ରେଜେରୀରେ ରଖାଯିବ । ଅଧିକୃତ ସେବାୟତ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ସବୁକିଛି କରାଯିବ । ଆସନ୍ତା ସ୍ନାନ ଯାତ୍ରା ପୂର୍ବରୁ ଗଣତି ଶେଷ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ।
ସେହିପରି ଡିଜିଟାଲ ଫଟୋଗ୍ରାଫ୍, ଥ୍ରୀଡି ମ୍ୟାପିଂ ଏବଂ ଭିଡ଼ିଓ ଗ୍ରାଫି କରାଯିବ । ଯାହା ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରତ୍ନଅଳଙ୍କାରର ଡାଟା ସୁରକ୍ଷିତ ରହିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ସବୁକିଛି ସଠିକ୍ ଢଙ୍ଗରେ ହେବାକୁ ମନ୍ତ୍ରୀ ଆଶା ରଖିଛନ୍ତି ।
ସେହିପରି ପୂର୍ବ ତାଲିକା ସହିତ ଅମେଳକ ହେବା ଖବର ମନ୍ତ୍ରୀ ଖଣ୍ଡନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଭଣ୍ଡାରରୁ କୌଣସି ଜିନିଷ ମିଳି ନାହିଁ । କିମ୍ବା ୧୯୭୮ ମସିହା ତାଲିକା ସହିତ ରତ୍ନ ଅଳଙ୍କାର ଅମେଳକ ହୋଇଥିବାର କୌଣସି ଆନୁଷ୍ଠାନିକ ସୂଚନା ଆସି ନାହିଁ ।