ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରବିବାର ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ କୋଠା ଭୁଶୁଡ଼ିବା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ନାଗରିକମାନଙ୍କ ସୁରକ୍ଷା ଦିଲ୍ଲୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ କୌଣସି ସ୍ତରରେ ଅବହେଳା ବରଦାସ୍ତ କରାଯିବ ନାହିଁ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରବିବାର ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ବିଲ୍ଡିଂ ଭୁଶୁଡ଼ିବା ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ଚାଲିଥିବା ସହାୟତା ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ ଠାରୁ ଦୁର୍ଘଟଣାର ସମ୍ପୂର୍ଣ୍ଣ ବିବରଣୀ ନେଇଥିଲେ ଏବଂ ଚାଲିଥିବା ରେସକ୍ୟୁ ଅପରେସନର ଅନୁଧ୍ୟାନ କରିଥିଲେ। ଉଦ୍ଧାର ଅଭିଯାନରେ ଯେପରି କୌଣସି ପ୍ରକାର ଶିଥିଳତା ପ୍ରକାଶ ନପାଏ, ସେଥିପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ଏହି ଦୁର୍ଘଟଣାରେ ଅବହେଳା କରିଥିବା ଅଭିଯୋଗରେ ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି।
ଫସି ରହିଥିବା ଆଶଙ୍କା କରାଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ସମ୍ପୂର୍ଣ୍ଣ ଗମ୍ଭୀରତା ଓ ସମ୍ବେଦନଶୀଳତାର ସହ କାର୍ଯ୍ୟ କରାଯାଉ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଭିନ୍ନ ପ୍ରକାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ସମସ୍ତ ଆହତଙ୍କୁ ମାଗଣାରେ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ଦିଲ୍ଲୀ ଅଗ୍ନିଶମ ସେବା, ଦିଲ୍ଲୀ ପୋଲିସ, ଜିଲ୍ଲା ପ୍ରଶାସନ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA), ସିଭିଲ୍ ଡିଫେନ୍ସ ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ମିଳିତ ଭାବେ ଚାଲିଥିବା ଉଦ୍ଧାର ଓ ସହାୟତା କାର୍ଯ୍ୟର ସୂଚନା ନେଇଥିଲେ।
ଏହାପରେ ସେ ପ୍ରଭାବିତ ପରିବାରଗୁଡ଼ିକୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି କଠିନ ସମୟରେ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ପରିବାରଗୁଡ଼ିକ ସହ ଛିଡ଼ା ହୋଇଛନ୍ତି ଏବଂ ପୀଡ଼ିତମାନଙ୍କୁ ସମସ୍ତ ସମ୍ଭାବ୍ୟ ଆର୍ଥିକ ତଥା ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ।
ଅବହେଳା ବରଦାସ୍ତ କରାଯିବ ନାହିଁ
ନାଗରିକମାନଙ୍କ ସୁରକ୍ଷା ଦିଲ୍ଲୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ କୌଣସି ବି ସ୍ତରରେ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମେହରୌଲି ଥାନାରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି। ଏହା ସହିତ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ଏବଂ ଜବାବଦେହିତା ନିର୍ଦ୍ଧାରଣ କରିବା ପାଇଁ ଦକ୍ଷିଣ ଜିଲ୍ଲାର ଜିଲ୍ଲାପାଳଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ନାଗରିକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କୌଣସି ପ୍ରକାରର ଅବହେଳାକୁ ସହ୍ୟ କରାଯିବ ନାହିଁ।
ପ୍ରଶାସନିକ ତ୍ରୁଟି ମିଳିଲେ ଆକ୍ସନ
କୋଠା ଭୁଶୁଡ଼ିବାର କାରଣ ବିଷୟରେ ବିସ୍ତୃତ ଅନୁସନ୍ଧାନ କରିବାକୁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଯଦି ନିର୍ମାଣ ସମ୍ବନ୍ଧୀୟ ଅନିୟମିତତା, ସୁରକ୍ଷା ମାନଦଣ୍ଡର ଅବହେଳା କିମ୍ବା କୌଣସି ପ୍ରକାରର ପ୍ରଶାସନିକ ତ୍ରୁଟି ସାମ୍ନାକୁ ଆସେ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି। ଏହାପରେ ଏହି ଦୁର୍ଘଟଣାରେ ଅବହେଳା କରିଥିବା ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। ସାଉଦୁଲାଜାବ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଜରାଜୀର୍ଣ୍ଣ, ବିପଜ୍ଜନକ ଏବଂ ବେଆଇନ କୋଠାଗୁଡ଼ିକର ତୁରନ୍ତ ସର୍ଭେ ଓ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋଠାରେ ତ୍ରୁଟି ମିଳିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ସେ କହିଛନ୍ତି ଯେ ଯେଉଁ କୋଠାଗୁଡ଼ିକ ଯୋଗୁଁ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଛି, ସେଗୁଡ଼ିକ ବିରୋଧରେ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯଦ୍ୱାରା ଭବିଷ୍ୟତରେ ଏଭଳି ଘଟଣାକୁ ରୋକାଯାଇ ପାରିବ। ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେଆଇନ ନିର୍ମାଣକୁ ପ୍ରୋତ୍ସାହନ ଦେଉଥିବା କିମ୍ବା ନିଜ ଦାୟିତ୍ୱ ତୁଲାଇବାରେ ଅବହେଳା କରୁଥିବା ଅଧିକାରୀମାନଙ୍କର ଜବାବଦେହିତା ସ୍ଥିର କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ସରକାର ସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି ଏବଂ ସମସ୍ତ ସମ୍ପୃକ୍ତ ସଂସ୍ଥା ପାରସ୍ପରିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସହାୟତା, ଉଦ୍ଧାର ଏବଂ ପୁନର୍ବାସ ସହ ଜଡ଼ିତ ପ୍ରତ୍ୟେକ ଦିଗ ଉପରେ ଗମ୍ଭୀରତାର ସହ କାର୍ଯ୍ୟ କରାଯିବ, ଯଦ୍ୱାରା ପ୍ରଭାବିତ ଲୋକମାନେ ଯଥାଶୀଘ୍ର ସହାୟତା ପାଇପାରିବେ।
ଘଟଣା ସହ ଜଡ଼ିତ ସମସ୍ତ ତଥ୍ୟର ହେବ ନିଷ୍ପକ୍ଷ ତଦନ୍ତ
ସେ କହିଛନ୍ତି ଯେ ଘଟଣା ସହ ଜଡ଼ିତ ସମସ୍ତ ତଥ୍ୟର ନିଷ୍ପକ୍ଷ ତଦନ୍ତ ସରକାର ନିଶ୍ଚିତ କରିବେ ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ସମସ୍ତ ସଂସ୍ଥା, ଅଧିକାରୀ, କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ ସଙ୍କଟର ଏହି ସମୟରେ ମାନବ ଜୀବନର ରକ୍ଷା ପାଇଁ ସମସ୍ତ ସଂସ୍ଥାର ମିଳିତ ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।