ଝାରସୁଗୁଡ଼ା: ଜନ୍ମିତ ଛୁଆଁଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି ଜନ୍ମଦାତ୍ରୀ ମାଆ । ବିଳମ୍ବିତ ରାତିରେ ସ୍ୱାମୀକୁ ଘରୁ ବାହାର କରି ହାଣି ଚାଲିଲା ପୁଅ ଝିଅଙ୍କୁ ଏବଂ ଶେଷରେ ମୃତ୍ୟୁବରଣ କରିଛନ୍ତି ଦୁଇ ପିଲା । ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଅନ୍ତର୍ଗତ ଟାଙ୍ଗଗରପାଲି ଗାଁରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତ ଝିଅ ହେଲା ଜିଜ୍ଞାଶା ଓରାମ (୧୧) ଓ ପୁଅ ବିଭାଂଶୁ ଓରାମ (୧୨) ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ରଞ୍ଜିତା ଓରାମା ସ୍ୱାମୀକୁ ଡାକିଥିଲେ । ସ୍ୱାମୀ ଘର କବାଟ ଖୋଲି ବାହାରକୁ ପରିସ୍ରା କରିବାକୁ ଯାଇଥିବାବେଳେ ରଞ୍ଜିତା ହଠାତ୍ ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ । ଏହା ଏକ ଟାଙ୍ଗିଆରେ ଗଭୀର ନିଦରେ ଶୋଇଥିବା ଦୁଇ ପିଲାଙ୍କୁ ହାଣି ଚାଲିଲା । ସେପଟେ ସ୍ୱାମୀ ଚିତ୍କାର କରି ଯେତେ ଡାକିଲେ ବି ରଞ୍ଜିତା ଶୁଣି ନ ଥିଲେ । ଛୁଆଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ଉଦ୍ୟମ ସମୟରେ ସ୍ୱାମୀ ପଡ଼ୋଶୀଙ୍କ ସହାୟତାରେ ଝରକା ଭାଙ୍ଗି ଦୁଇ ଶିଶୁଙ୍କୁ ଉଦ୍ଧାର କରିବା ସହି ରଞ୍ଜିତାକୁ କାବୁ କରିଥିଲେ । ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ତୁରନ୍ତ ପିଲାଙ୍କ ବଡ଼ ମାଆ ଏବଂ ବାପା ଦୁଇ ଜଣଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମା’ ଗୁରୁତର
ରଞ୍ଜିତାକୁ ସମସ୍ତେ କାବୁ କରି ଝାରସୁଗୁଡ଼ା ଏୟାରପୋର୍ଟ ଥାନାକୁ ଜଣାଇଥିଲେ । ପୋଲିସ ତୁରନ୍ତ ପହଁଚି ରଞ୍ଜିତାକୁ ଉଦ୍ଧାର କରି ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ ଦୁଇ ପିଲାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ସ୍ୱାମୀଙ୍କୁ କରୁଥିଲେ ସନ୍ଦେହ
ସେପଟେ ରଞ୍ଜିତାଙ୍କ ଯାଆ କହିବା ମୁତାବକ, ରଞ୍ଜିତା ସବୁବେଳେ ତାଙ୍କ ସ୍ୱାମୀଙ୍କୁ ପରକୀୟା ପ୍ରୀତି ପାଇଁ ସନ୍ଦେହ କରନ୍ତି । ଅନ୍ୟ ଜଣେ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଅଭିଯୋଗ କରିଆସୁଥିଲେ । ସେଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା । କିନ୍ତୁ ଗତକାଲି ତାହା ଉଗ୍ର ରୂପ ଧାରଣ କରିଥିବା ସେ କହିଛନ୍ତି । ରଞ୍ଜିତାଙ୍କୁ ଫାଶୀ ଦଣ୍ଡ ଦେବାକୁ ପଡ଼ୋଶୀମାନେ ଦାବି କରିଛନ୍ତି ।